ନୂଆପଡ଼ାରେ ପହଂଚିଲା ୨ ଶ୍ରମିକ ଟ୍ରେନ୍

ନୂଆପଡ଼ା,ଏନ୍ଏନ୍ଏସ୍ : ନୂଆପଡ଼ା ଜିଲ୍ଲାକୁ ପୁଣି ଦୁଇଟି ଶ୍ରମିକ ସ୍ପେଶାଲ ଟ୍ରେନ୍ ପହଂଚିଛି। ଏଥିରେ ୨ ହଜାରରୁ ଅଧିକ ପ୍ରବାସୀ ନିଜ ଜିଲ୍ଲାକୁ ଫେରିଛନ୍ତିି। ଗତ ୧୫ ତାରିଖ ସନ୍ଧ୍ୟାରେ ଉତ୍ତରପ୍ରଦେଶ ଗୋରଖପୁର ସହରରୁ ଏକ ଶ୍ରମିକ ଟ୍ରେନ୍ ବାହାରିଥିଲା। ଗତକାଲି ରାତିରେ ଏହି ଟ୍ରେନ୍ ଖରିଆର ରୋଡ ରେଲୱେ ଷ୍ଟେସନରେ ପହଂଚିଥିଲା । ଏଥିରେ ଜିଲ୍ଲାର ପ୍ରାୟ ୮ଶହ ଶ୍ରମିକ ଫେରିଥିଲେ। ରାତିରେ ସେମାନଙ୍କୁ ନ୍ୟାସନାଲ କଲେଜକୁ ଆଣିଥିଲେ।

ସକାଳେ ଶ୍ରମିକଙ୍କୁ ତାଙ୍କ ସମ୍ପୃକ୍ତ ଟିଏମସିରେ ପଠାଯାଇଛି। ଅପରାହ୍ନରେ ପୁଣି ଏକ ଶ୍ରମିକ ସ୍ପେଶାଲ ଟ୍ରେନ ଉତ୍ତରପ୍ରଦେଶରୁ ବାହାରି ନୂଆପଡ଼ା ରେଲୱେ ଷ୍ଟେସନରେ ପହଂଚିଥିଲା। ଏଥିରେ ୧୩୧୫ ଜଣ ପ୍ରବାସୀ ଶ୍ରମିକ ଫେରିଥିଲେ। ସେଥିରୁ ନୂଆପଡ଼ା ଜିଲ୍ଲାର ୧୧୯୮ ଜଣ ବରଗଡ଼ ଜିଲ୍ଲାର ୧୧୭ ଜଣ। ଏହି ଶ୍ରମିକମାନଙ୍କୁ ଏକ ସ୍ୱତନ୍ତ୍ର ବସ୍ ଯୋଗେ ନ୍ୟାଶନାଲ କଲେଜକୁ ନେଇଥିଲେ। ସେଠାରୁ ସମସ୍ତ ଶ୍ରମିକଙ୍କୁ ତାଙ୍କ ଟିଏମସିକୁ ପଠାଇବାକୁ ବ୍ୟବସ୍ଥା ଆରମ୍ଭ ହୋଇଛି।

ଉପଜିଲ୍ଲାପାଳ ତରଣୀସେନ ନାଏକଙ୍କ ନେତୃତ୍ୱରେ ଆସିଷ୍ଟାଣ୍ଡ କଲେକ୍ଟର କର୍ଣ୍ଣ ସୁନା, ଆରଟିଓ ପ୍ରଶାନ୍ତ ପରିଡ଼ା, ଏସଡିପିଓ ପ୍ରଶାନ୍ତ ପଟ୍ଟନାୟକ, ସଦର ଏନଏସି ଇଓ ରାମଚନ୍ଦ୍ର ମାଝୀ, ପୁଲିସ ଆରଆଇ ପଙ୍କଜ ନାଏକ ପ୍ରମୁଖ ଉପସ୍ଥିତ ଥିଲେ।