ବଲାଙ୍ଗିର,ଏନ୍ଏନ୍ଏସ୍: କରୋନା ମହାମାରୀ ଭୟରେ ଲକ୍ଷାଧିକ ପ୍ରବାସୀ ଶ୍ରମିକ ଓଡ଼ିଶା ଫେରିଆସିଛନ୍ତି। ଫଳରେ ଶ୍ରମିକମାନେ ବେରୋଜଗାର ହେଇଯାଇଛନ୍ତି। ତେବେ ସେହି ଶ୍ରମିକମାନଙ୍କୁ ବର୍ତ୍ତମାନ କର୍ମ ନିଯୁକ୍ତି ଦେବାପାଇଁ ଆଜି ଏକ ଜିଲ୍ଲାସ୍ତରୀୟ ବୈଠକ ସ୍ଥାନୀୟ ସର୍କିଟ ହାଉସଠାରେ ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ଅରିନ୍ଦମ ଡାକୁଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ମନ୍ତ୍ରୀ ଟୁକୁନି ସାହୁ, ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର, କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା, ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ ଓ ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।
ଆଲୋଚନାରେ ମୁଖ୍ୟତଃ କୃଷି, ଉଦ୍ୟାନ, ମତ୍ସ୍ୟ ଚାଷ, ଉଠା ଜଳସେଚନ, ବ୍ୟାଙ୍କ ଓ ସମବାୟ ଅଧିକାରୀମାନେ ନିଜ ନିଜ ଯୋଜନା ବାବଦରେ ଜନ ପ୍ରତିନିଧିମାନଙ୍କୁ ଅବଗତ କରାଇଥିଲେ। ଏଥିରୁ ସରକାର ପ୍ରବାସୀମାନଙ୍କ ପାଇଁ ଅନେକ ଯୋଜନା ହାତକୁ ନେଇଛନ୍ତି। ଏଥିରେ ଉଦ୍ୟାନ, କୃଷି, ମାଛ ଚାଷ ଓ ଧାନ ଚାଷ ଭଳି ଯୋଜନା ରହିଛି। ତେବେ ଏ ସମସ୍ତ ଯୋଜନାରେ ଶ୍ରମିକମାନଙ୍କୁ ଲାଭବାନ ହେବା ପାଇଁ ପାଖାପାଖି ୬ ମାସରୁ ଊର୍ଦ୍ଧ୍ୱ ସମୟ ଲାଗିବ।
ସେହିପରି ଯୋଜନାଗୁଡିକୁ କାର୍ଯ୍ୟକାରୀ କରିବା ପାଇଁ ଭିତ୍ତିଭୂମିର ମଧ୍ୟ ଅଭାବ ରହିଛି। ଏହି ପରିସ୍ଥିତିରେ ପ୍ରବାସୀ ଶ୍ରମିକଙ୍କ ପାଇଁ ସର୍ବନିମ୍ନ ଭିତ୍ତିଭୂମି ତଥା ଅର୍ଥ ବାଧକ ସାଜିପାରେ। ତେଣୁ ପ୍ରତ୍ୟେକ ପ୍ରବାସୀଙ୍କୁ ତତକ୍ଷଣାତ ସରକାର ୧୦ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରନ୍ତୁ ଏବଂ ପରବର୍ତ୍ତି ୬ ମାସ ପାଇଁ ପ୍ରତ୍ୟେକ ବ୍ୟକ୍ତିଙ୍କୁ ୭ ହଜାର ୫ ଶହ ଟଙ୍କା ଲେଖାଏଁ ସହାୟତା ରାଶି ଯୋଗାଇ ଦିଅନ୍ତୁ ବୋଲି ବିଧାୟକ ନରସିଂହ ମିଶ୍ର ଦାବି କରିଛନ୍ତି।