ନୂଆଦିଲ୍ଲୀ,ଏଜେନ୍ସି: ୧୯୫୫ର ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ୍ର ସଂଶୋଧନକୁ ମଞ୍ଜୁରୀ ଦେଇଛି କେନ୍ଦ୍ର କ୍ୟାବିନେଟ୍। ଏହା ଦ୍ୱାରା ଖାଦ୍ୟଶସ୍ୟ, ତୈଳବୀଜ, ଆଳୁ ଓ ପିଆଜର ଦର ନିୟନ୍ତ୍ରଣମୁକ୍ତ ହେବ। ଏଥିସହ ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରୁ ଖାଦ୍ୟଶସ୍ୟ, ଆଳୁ, ପିଆଜ, ଡାଲି ଓ ତେଲ ହଟିବ। ସରକାରଙ୍କ ଏହି ନୂତନ ନିଷ୍ପତ୍ତି ଦ୍ୱାରା କୃଷକମାନେ ଅଧିକ ଲାଭବାନ ହେବେ ବୋଲି କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର ସୂଚନା ଦେଇଛନ୍ତି।
ସେ କହିଛନ୍ତି ଯେ କ୍ୟାବିନେଟ୍ କୃଷିଜାତ ସାମଗ୍ରୀ ବିକ୍ରି ଓ ବିପଣନ ଅଧ୍ୟାଦେଶକୁ ମଞ୍ଜୁରୀ ଦେଇଛନ୍ତି। ଏହା ଦ୍ୱାରା କୃଷକମାନେ ଏପିଏମ୍ସି ମଣ୍ଡି ବାହାରେ ମଧ୍ୟ ନିଜ ଉତ୍ପାଦ ବିକ୍ରି କରିପାରିବେ। ଏମିତିକି ରାଜ୍ୟ ବାହାରେ ମଧ୍ୟ ସେମାନେ ନିଜ ଉତ୍ପାଦ ବିକି ପାରିବେ। ଏହି ନୂଆ ଆଇନ୍ ଫଳରେ କୃଷକ ନିଜ ସାମଗ୍ରୀ ବିକ୍ରି ପାଇଁ ସ୍ୱାଧୀନ ଭାବେ ନିଷ୍ପତ୍ତି ନେଇପାରିବେ ବୋଲି ଜଣାଯାଇଛି। ସରକାର ଏସବୁ ନିଷ୍ପତ୍ତି ନେବା ବେଳେ ଖାଉଟିଙ୍କ ସ୍ୱାର୍ଥକୁ ମଧ୍ୟ ନଜରରେ ରଖିଛନ୍ତି। ସରକାରଙ୍କ ଆତ୍ମନିର୍ଭର ଭାରତ ଯୋଜନା ସ୍କିମ୍ରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏନେଇ ଘୋଷଣା କରିଥିଲେ।