ରାୟଗଡ଼ା,ଏନ୍ଏନ୍ଏସ୍: ଗ୍ରୀନ୍ ଜୋନ୍ ରାୟଗଡ଼ା ଏବେ ଧୀରେଧିରେ ରେଡ ଜୋନରେ ପରିଣତ ହେବାରେ ଲାଗିଲାଣି। ଜିଲ୍ଲା ସଦର ମହକୁମାରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ଏହି ଚର୍ଚ୍ଚା ଜୋର୍ ଧରିଛି। ସହରର ରାମକୃଷ୍ଣ ନଗର ଦେଇ ଯାଇଥିବା ମୁଖ୍ୟ ରାସ୍ତା ଏବଂ ସମ୍ପୃକ୍ତ ଯୁବତୀଙ୍କ ନିଜ ଗାଁ ଓଡୁଗୁଡା ଏବେ ପାଲଟିଛି କଣ୍ଟେନମେଣ୍ଟ ଜୋନ। ଏହି ଅଞ୍ଚଳରେ ଜଣେ ଦିଲ୍ଲୀ ଫେରନ୍ତା ଯୁବତୀଙ୍କ ଠାରେ କୋରନା ଭୂତାଣୁ ଚିହ୍ନଟ ହୋଇଛି। ସେ ଗତ ମାସ ଶେଷ ସପ୍ତାହରେ ଦିଲ୍ଲୀରୁ ରାୟଗଡ଼ ଆସିଥିଲେ ଏବଂ ଗତ ୨୭ ତାରିଖରେ ତାଙ୍କ ସ୍ଵାବ ନମୁନା ଭୁବନେଶ୍ୱରକୁ ପଠାଯାଇଥିଲା। ତେବେ ତାଙ୍କ ସ୍ଵାବ ନମୁନାରେ କରୋନା ପଜେଟିଭ ବହିରିଛି।
କରୋନା ଚିହ୍ନଟ ପରେ ସମ୍ପୃକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇ ସାଧାରଣ ଲୋକଙ୍କ ପ୍ରବେଶକୁ ବାରଣ କରାଯାଇଛି। ତେବେ ଆକ୍ରାନ୍ତ ଯୁବତୀକୁ କଡ଼ା ସୁରକ୍ଷା ମଧ୍ୟରେ ଗତ ରାତିରେ ଆମ୍ବୁଲାନ୍ସ ମାଧ୍ୟମରେ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ଦିଲ୍ଲୀରୁ ଫେରିବା ପରେ ଯୁବତୀ ଜଣଙ୍କ ନିଜ ପରିବାର ଲୋକଙ୍କ ସହ ରାମକୃଷ୍ଣ ନଗରରେ ଘର ଭଡ଼ା ନେଇ ରହୁଥିଲେ। ଅସୁସ୍ଥତା ଅନୁଭବ କରିବା ପରେ ଯୁବତୀଙ୍କୁ ହୋମ୍ କ୍ୱାରାଣ୍ଟାଇନରେ ରଖି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ୱାବ ସଂଗ୍ରହ କରି ପରୀକ୍ଷଣ ପାଇଁ ପଠାଇଥିଲା। ଯାହାର ରିପୋର୍ଟ ଆସିବା ପରେ ଯୁବତୀ ଜଣଙ୍କ କରୋନାରେ ଆକ୍ରାନ୍ତ ଥିବା ନେଇ ସ୍ଵଷ୍ଟ ହୋଇଛି। ତେବେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବର୍ତ୍ତମାନ ସମ୍ପୃକ୍ତ ଯୁବତୀଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି।