କରୋନା ଭ୍ୟାକ୍ସିନ ପ୍ରସ୍ତୁତ: ଋଷ ପ୍ରତିରକ୍ଷା ମନ୍ତ୍ରଣାଳୟର ଦାବି

ନୂଆଦିଲ୍ଲୀ: କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ବର୍ତ୍ତମାନ ଅଧିକାଂଶ ଦେଶ ଭ୍ୟାକ୍ସିନ ପ୍ରସ୍ତୁତ କରିବା ପାଇଁ ବ୍ୟାପକସ୍ତରରେ କାମ କରୁଛନ୍ତି। ଏହି ସମୟରେ ଋଷର ପ୍ରତିରକ୍ଷା ମନ୍ତ୍ରଣାଳୟ ଭ୍ୟାକ୍ସିନ ପ୍ରସ୍ତୁତ କରି ନେଇଥିବା ଦାବି କରିଛି। ଏଥି ସହିତ ସୈନିକଙ୍କ ଉପରେ ଟ୍ରାଏଲ ମଧ୍ୟ ଆରମ୍ଭ କରିଦେଇଛି ଯାହାକି ଜୁଲାଇ ମାସ ଶେଷ ସୁଦ୍ଧା ସମାପ୍ତ ହୋଇଯିବ।

ଋଷର ପ୍ରତିରକ୍ଷା ପ୍ରବକ୍ତାଙ୍କ କହିବାନୁସାରେ, ସୈନିକଙ୍କ ପ୍ରଥମ ସ୍କ୍ୱାଡ ଜୁନ୍ ୩ ତାରିଖରେ ସେଣ୍ଟ୍ରାଲ ରିସର୍ଚ୍ଚ ସେଣ୍ଟର ପହଂଚି ଯାଇଛନ୍ତି। ଏହି ପରୀକ୍ଷଣ ପାଇଁ ୫୦ ଜଣ ସୈନିକଙ୍କୁ ଚୟନ କରାଯାଇଛି ଯେଉଁଥିରେ ୫ଜଣ ମହିଳା ମଧ୍ୟ ରହିଛନ୍ତି। ଖୁବଶୀଘ୍ର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଟୀକା ପ୍ରୟୋଗ ପାଇଁ ସେମାନଙ୍କୁ ପ୍ରସ୍ତୁତ କରାଯିବ। ସମସ୍ତ ସୈନିକ ସ୍ୱଇଚ୍ଛାରେ ଏହି ଟୀକାର ପରୀକ୍ଷଣରେ ଭାଗ ନେବା ପାଇଁ ଇଚ୍ଛାବ୍ୟକ୍ତ କରିଥିବା ପ୍ରବକ୍ତା ପକାଶ କରିଛନ୍ତି।

ଭ୍ୟାକ୍ସିନ ବ୍ୟତୀତ ଋଷ ସେହି ଆଣ୍ଟି ଭାଇରାଲ ଔଷଧର ପରୀକ୍ଷଣ ଜାରି ରଖିଛି ଯାହାର ଟେଷ୍ଟ ଭାରତ ମଧ୍ୟ କରୁଛି। ଫେବୀପୀରାବିର ନାମକ ଔଷଧରୁ ପ୍ରସ୍ତୁତ ଏଫିବିରକୁ ଋଷ ହସ୍ପିଟାଲରେ ଟ୍ରାଏଲ କରାଯାଉଛି। ଭାରତୀୟ ବୈଜ୍ଞାନିକଙ୍କର ଏହି ଔଷଧ ଉପରେ ପୂର୍ଣ୍ଣ ବିଶ୍ୱାସ ରହିଛି। ଏହି ଔଷଧର ପରୀକ୍ଷଣ ଯଦି ସଫଳ ରୁହେ ତେବେ ଭାରତରେ ଏହାର ଉତ୍ପାଦନ ସହଜ ହେବାସହ ଉଚିତ ମୂଲ୍ୟରେ ମିଳିପାରିବ।