ବିଶିଷ୍ଟ ସାହିତ୍ୟିକ ନିତ୍ୟାନନ୍ଦ ଶତପଥୀଙ୍କ ପରଲୋକ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଓଡ଼ିଆ ଭାଷା ସାହିତ୍ୟର ପ୍ରାଜ୍ଞ ପଣ୍ଡିତ, ଅତୁଳନୀୟ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ଓ ପରମ୍ପରା ପ୍ରାଣ, ସମାଲୋଚକ, ମାନବତାବାଦୀ, ସର୍ଜନଶୀଳ ଓ ସୃଜନଶୀଳ ମହାପୁରୁଷ, ଐତିହାସିକ ଭାଷା ଆନ୍ଦୋଳନର ସମର୍ପିତ ଭାଷା ମୁକ୍ତିଯୋଦ୍ଧା ପ୍ରାଧ୍ୟାପକ ଡ. ନିତ୍ୟାନନ୍ଦ ଶତପଥୀଙ୍କ ୮୩ ବର୍ଷ ବୟସରେ ପରଲୋକ ହୋଇଛି। ଦୀର୍ଘ ୪୦ ବର୍ଷ ଧରି ସେ ଆମକୁ ଆଶୀର୍ବାଦ ଦେଇଆସିଥିଲେ। ତାଙ୍କ ସହ ଅମୃତ ଅମ୍ଲାନ ସ୍ମୃତି ବ୍ୟାପକ।

ସୂଚନା ଅନୁସାରେ ବରେଣ୍ୟ ନିତ୍ୟାନନ୍ଦ ୧୯୩୭ ମସିହା ଅକ୍ଟୋବର ୨୫ ତାରିଖରେ ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ୍ ଅନ୍ତର୍ଗତ ଗରେଇ ଶାସନଠାରେ ଜନ୍ମଗ୍ରହଣ କରିଥିଲେ। ସେ ୧୯୬୦ ଓ ୧୯୬୨ ମସିହାରେ ରେଭେନ୍ସା ମହାବିଦ୍ୟାଳୟରୁ ସ୍ନାତକ ଓ ସ୍ନାତକୋତ୍ତର ଶିକ୍ଷା ସମାପ୍ତ କରି ୧୯୭୬ରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ପିଏଚଡି ଲାଭ କରିଥିଲେ। ନିତ୍ୟାନନ୍ଦଙ୍କ ପିତାଙ୍କ ନାମ ଥିଲା ବିଦ୍ୟାଧର ଶତପଥୀ ଓ ମାତାଙ୍କ ନାମ ଦୂର୍ଗାବତୀ ଦେବୀ। କବି ପ୍ରତିଭା ଶତପଥୀ ତାଙ୍କ ଧର୍ମପତ୍ନୀ। ପାରମିତା, ମଧୁବ୍ରତା, ଅସିତା ଓ ଇପ୍ସିତା ନାମରେ ତାଙ୍କର ଚାରି ଝିଅ ଅଛନ୍ତି। ଅଧ୍ୟାପନାକୁ ନିଜର ବୃତ୍ତି ଭାବେ ଆପଣେଇଥିଲେ ନିତ୍ୟାନନ୍ଦ। ୧୯୬୨ରୁ ୧୯୬୯ ଯାଏଁ ରେଭେନ୍ସା ମହାବିଦ୍ୟାଳୟରେ ଓ ୧୯୭୬ରୁ ୧୯୯୨ ଯାଏଁ ଉତ୍କଳ ବିଶ୍ୱବିଦ୍ୟାଳୟର ଓଡ଼ିଆ ବିଭାଗରେ ଅଧ୍ୟାପନା କରିଥିଲେ ଓ ସତ୍ୟବାଦୀ ଚେୟାରର ପ୍ରଫେସର ଥାଇ ୧୯୯୭ ମସିହାରେ ସେବା ନିବୃତ ହୋଇଥିଲେ ।

୧୯୬୫ମସିହା ବେଳକୁ ସେ ରେଭେନ୍ସା ନୈଶ ମହାବିଦ୍ୟାଳୟରେ ଅଧ୍ୟାପନା କରୁଥିଲେ। ସେହି ସମୟରେ ପୂଜ୍ୟପୂଜା ସଂସଦ ଆନୁକୁଲ୍ୟରେ, ଗୋପବନ୍ଧୁଙ୍କ ଜନ୍ମଦିବସରେ ସେ ସାକ୍ଷୀଗୋପାଳକୁ ଏକ ସଭା କାର୍ଯ୍ୟରେ ଯୋଗଦେବାକୁ ଯାଇଥାନ୍ତି। ସେଠାରେ ଭାଷଣ ଦେବା ଅବସରରେ ଜଣେ ଶ୍ରୋତା ଅଭିଯୋଗ କଲେ ଯେ, ଗୋପବନ୍ଧୁଙ୍କ ପୂର୍ଣ୍ଣାଙ୍ଗ ଜୀବନୀ ଲେଖାଯାଇନାହିଁ। ସେହି ସଭାରେ ନିତ୍ୟାନନ୍ଦ ପ୍ରତିଶ୍ରୁତି ଦେଇଥିଲେ ଯେ, ସେ ୩ ବର୍ଷ ମଧ୍ୟରେ ଗୋପବନ୍ଧୁଙ୍କ ପୂର୍ଣ୍ଣାଙ୍ଗ ଜୀବନୀ ଲେଖି ପ୍ରକାଶ କରାଇବେ। ସେଠାରୁ ଆରମ୍ଭ ହୋଇଥିଲା ନିତ୍ୟାନନ୍ଦଙ୍କର ପ୍ରଥମ ପୁସ୍ତକ ଲିଖନ। ୪ ବର୍ଷ ଧରି ଲେଖା ହୋଇଥିବା, “ହେ ସାଥୀ ! ହେ ସାରଥୀ ” ଶୀର୍ଷକ ରେ ଏହି ଗୋପବନ୍ଧୁଙ୍କ ପୂର୍ଣ୍ଣାଙ୍ଗ ଜୀବନୀ ପୁସ୍ତକ ୧୯୬୯ ମସିହାରେ ପ୍ରକାଶ ପାଇଥିଲା।

ଏହା ପୂର୍ବରୁ ପତ୍ନୀ ପ୍ରତିଭାଙ୍କ ସହ ମିଳିତ ଭାବରେ “ଆମ କବିତା” ନାମକ ଏକ କବିତା ପୁସ୍ତକ ମଧ୍ୟ ପ୍ରକାଶ ପାଇଥିଲା। ତା’ ପରଠାରୁ ନିତ୍ୟାନନ୍ଦ ନିରବିଚ୍ଛିନ୍ନ ଭାବରେ ସାହିତ୍ୟ ସାଧନାରେ ନିମଗ୍ନ ଥିଲେ। ତାଙ୍କ ଛାତ୍ରଛାତ୍ରୀମାନେ ଆଧୁନିକ କବିତା ଉପରେ କୌଣସି ସମାଲୋଚନା ମୂଳକ ପୁସ୍ତକ ପାଇ ପାରୁନଥିଲେ। ସେହି ଅଭାବ ଦୂର କରିବାକୁ, ସେ ସମାଲୋଚନା ଲେଖିବା ଆରମ୍ଭ କରିଥିଲେ। ନିତ୍ୟାନନ୍ଦ ବହୁ ସାହିତ୍ୟିକ ଓ ସାମାଜିକ ଅନୁଷ୍ଠାନ ସହିତ ଜଡିତ ରହିଆସିଛନ୍ତି।