ଝାରସୁଗୁଡା,ଏନ୍ଏନ୍ଏସ୍: ଭାଇକୁ ହରାଇବା ଦୁଃଖରେ ଝାରସୁଗୁଡା ଜିଲ୍ଲା ଲହଣ୍ଡାବୁଡ଼ ଅଞ୍ଚଳର ୩ ଭଉଣୀଙ୍କ ସହ ମା’ ଓ ଭାଇ ଫିନାଇଲ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି। ସେମାନଙ୍କୁ ପୁଲିସ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିବା ବେଳେ ସେଠାରେ ଭାଇ ଶ୍ରୀକାନ୍ତ ବିଶ୍ୱାଳ ଓ ଭଉଣୀ ଲିଲି ବିଶ୍ୱାଳଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଥିଲା। ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ଶ୍ରୀକାନ୍ତଙ୍କ ମୃତ୍ୟୁ ହୋଇ ଥିବା ବେଳେ ଭଉଣୀ ଲିଲିର ସ୍ୱାସ୍ଥ୍ୟବସ୍ତା ମଧ୍ୟ ସଙ୍କଟାପନ୍ନ ଅଛି। ତେବେ ଆଉ ୨ ଭଉଣୀ ଓ ମା’ର ଅବସ୍ଥା ଠିକ ଥିବାବେଳେ ସେମାନେ ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି।
ପ୍ରକାଶ ଯୋଗ୍ୟ ଯେ, ୨୦୧୮ ମସିହାରେ ଝାରସୁଗୁଡା ବେହେରାମାଲରେ ଏକ ବାଇକ ଦୁର୍ଘଟଣା ହୋଇଥିଲା। ଏଥିରେ ଦୀପକ ବିଶ୍ୱାଳ(୨୨) ଗୁରୁତର ଆହତ ହୋଇ କୋମାକୁ ଚାଲିଯାଇଥିଲେ। ଦୀପକଙ୍କ ଚିକିତ୍ସା ପାଇଁ ପରିବାର ଲୋକ ପ୍ରାୟ ୩୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ। ଘରେ ଦୀପକଙ୍କ ଚିକିତ୍ସା ଚାଲିଥିବାବେଳେ ଗତକାଲି ସେ ଗୁରୁତର ହୋଇପଡିଥିଲେ। ସେଠାରୁ ଦୀପକଙ୍କୁ ତାଙ୍କ ସାଙ୍ଗମାନେ ଏକ ଘରୋଇ ନର୍ସିଂହୋମକୁ ନେଇଯାଇଥିଲେ। ସେଠାରେ ଦୀପକଙ୍କର ମୃତ୍ୟୁ ହୋଇଯାଇଥିଲା। ଏହା ପରେ ସାଙ୍ଗମାନେ ଦୀପକଙ୍କ ମୃତ ଦେହକୁ ତାଙ୍କ ଘରକୁ ଆଣିଥିଲେ।
ଭାଇର ମୃତ୍ୟୁ ହୋଇଥିବା ଜାଣି ଦୁଃଖରେ ଭାଙ୍ଗିପଡି ପରିବାରର ସଦସ୍ୟ ମା ପୁଷ୍ପବତୀ, ଭାଇ ଶ୍ରୀକାନ୍ତ (୩୩), ଭଉଣୀ ଲିଲି(୩୮), ପିଙ୍କି(୩୦), ବନ୍ଦିତା( ୩୫) ବିଷପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ବିଳମ୍ବିତ ରାତ୍ରି ପ୍ରାୟ ୧୨ଟାରେ ପଡୋଶୀମାନେ ଏ ବାବଦରେ ଜାଣିବା ପରେ ପୁଲିସକୁ ଖବର ଦେଇଥିଲେ। ପରେ ପୁଲିସ ସେମାନଙ୍କୁ ଉଦ୍ଧାର କରି ମେଡିକାଲକୁ ପଠାଇଥିଲେ।