ନୂଆପଡ଼ା,ଏନ୍ଏନ୍ଏସ୍ : ନୂଆପଡ଼ା ଚାଷୀଙ୍କୁ ଏବେ ଘାରିଛି ପଙ୍ଗପାଳ ଭୟ। କାରଣ ଦ୍ରୁତ ଗରିରେ ମାଡ଼ି ଆସୁଛି ଏହି ଉଡ଼ନ୍ତା ପଙ୍ଗପାଳ ପୋକ। ଘଣ୍ଟାକୁ ଦେଢ଼ଶହରୁ ୩ଶହ କିମି ଅତିକ୍ରମ କରି କୋଟିକୋଟି ସଂଖ୍ୟକ ପଙ୍ଗପାଳ ମାଡ଼ି ଆସୁଛନ୍ତି। ଓଡ଼ିଶା ଅଭିମୁଖେ ପାକିସ୍ଥାନରେ ଖାଦ୍ୟ ସଙ୍କଟ ପରେ ଭାରତର ପ୍ରାୟ ୮ଟି ରାଜ୍ୟକୁ ଚରି ଗଲେଣି ଏହି କୀଟ। ରାଜସ୍ଥାନ, ଗୁଜରାଟ, ଉତ୍ତରପ୍ରଦେଶ, ପଞ୍ଜାବ, ଦିଲ୍ଲୀ, ମହାରାଷ୍ଟ୍ର ଦେଇ ଛତିଶଗଡ଼ରେ ପହଞ୍ôଚଛନ୍ତି ପଙ୍ଗପାଳ। ଏବେ ପଶ୍ଚିମା ପବନ ବହୁଥିବାରୁ ସପ୍ତାହକ ଭିତରେ ଏହା ଛତିଶଗଡ଼ ଅତିକ୍ରମ କରି ଓଡ଼ିଶାରେ ପହଞ୍ôଚବାର ଅନୁମାନ କରାଯାଇଛି।
ତେବେ ଓଡ଼ିଶାରେ ପ୍ରବେଶ କେଲ ପ୍ରଥମେ ଓଡ଼ିଶା-ଛତିଶଗଡ଼ ସୀମାନ୍ତ ନୂଆପଡ଼ା ଜିଲ୍ଲାରେ ଏହି ଆତଙ୍କି କୀଟ ତାଣ୍ଡବ ରଚିବ ବୋଲି ଆକଳନ କରାଯାଇଛି। ଏହି କୀଟକୁ ନେଇ ଜିଲ୍ଲାର ଚାଷୀକୁଳ ଏବେ ଭୟଭୀତ। ଏହାର ମୁକାବିଲା ପାଇଁ ଜିଲ୍ଲା କୃଷି ବିଭାଗ ଏବେ ପ୍ରସ୍ତୁତି ଆରମ୍ଭ କରିଛି। ନୂଆପଡ଼ାର ୮୦% ଲୋକ କୃଷି କାର୍ଯ୍ୟ ଉପରେ ନିର୍ଭର କରନ୍ତି। ଜିଲ୍ଲାରେ ୩ଲକ୍ଷ ୮୫ହଜାର ହେକ୍ଟର ଜମିରୁ ୧,୯୮,୩୨୬ ହେକ୍ଟର ଚାଷୋପଯୋଗୀ ଥିବା ବେଳେ ୧,୯୦,୧୦୦ ହେକ୍ଟରରେ ଚାଷ ହୁଏ। ସେଥିରୁ ୯୪,୫୦୦ ହେକ୍ଟର ଧାନ ଚାଷ ଓ ୯୫,୬୦୦ ହେକ୍ଟର ଜମିରେ ଅଣଧାନ ଚାଷ ହୁଏ। ଜିଲ୍ଲାରେ ୯୮ ହଜାର ୭୦୪ଟି ଚାଷୀ ପରିବାର ରହୁଥିବା ବେଳେ ୫୨ ହଜାର ୯୩୩ ଜଣ କୃଷି ଶ୍ରମିକ ଥିବା କୃଷି ବିଭାଗ ରିପୋର୍ଟରେ ଦର୍ଶାଯାଇଛି। ଏବେ ରବି ଫସଲ ଅନେକ ସ୍ଥାନରେ ଅମଳ ଅପେକ୍ଷାରେ ରହିଛି। ସେହିପରି ପନିପରିବା ଚାଷ କରି ଅନେକ ଚାଷୀ ଗୁଜୁରାଣ ମେଣ୍ଟାଇଥାନ୍ତି। ଏଭଳି ସ୍ଥିିତିରେ ପଙ୍ଗପାଳକୁ ନେଇ ଜିଲ୍ଲାର ଚାଷୀ ଆତଙ୍କିତ ହୋଇ ପଡିଛନ୍ତି।
ଅନ୍ୟପକ୍ଷରେ ଏବେ ବକେୟା ରବିଧାନ ସହ ପନିପରିବା ଫସଲକୁ ନେଇ ଚାଷୀଙ୍କ ଭୟ ବଢିଛି , କାରଣ ଏହି କୀଟ ଯେଉଁ ଅଞ୍ଚଳକୁ ଅତିକ୍ରମ କରୁଛନ୍ତି ହଜାର ହଜାର ହେକ୍ଟର ଫସଲ ଚରି ଯାଉଛନ୍ତି। ଏହାର ପ୍ରତିକାର ବ୍ୟବସ୍ଥା ଉପରେ ସରକାର ତଥା ପ୍ରଶାସନ ଅନଭିଜ୍ଞ ଥିବାରୁ ଚାଷୀ ଅଧିକ ଆତଙ୍କିତ ହୋଇଛନ୍ତି। ଏହା ନୂଆପଡ଼ା ଜିଲ୍ଲା ସମେତ କଳାହାଣ୍ଡି, ବରଗଡ଼, ବଲାଙ୍ଗିର ଜିଲ୍ଲାରେ ମଧ୍ୟ ଆତଙ୍କ ଖେଳାଇବାର ଆଶଙ୍କା କରାଯାଉଛି। ତେବେ ଜିଲ୍ଲା କୃଷି ବିଭାଗ ତରଫରୁ କୀଟ ଦାଉରୁ ଫସଲକୁ ରକ୍ଷା କରିବା ପାଇଁ ଆବଶ୍ୟକ କୀଟନାଶକ ପ୍ରଦାନ କରିବାକୁ ଜିଲ୍ଲାର ଚାଷୀମାନେ ଦାବି କରିଛନ୍ତିି।
ଏନେଇ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଜାହେଦ ମହମ୍ମଦଙ୍କୁ ପଚାରିବାରୁ କହିଛନ୍ତି ଆମ ଜିଲ୍ଲାକୁ ପଙ୍ଗପାଳ ଆସିବାର ବହୁ କମ୍ ସମ୍ଭାବନା ରହିଛି। ରବି ଧାନ ପ୍ରାୟ ଅମଳ ହୋଇସାରିଛି। ଏବେ ପନିପରିବା ଚାଷ ପାଇଁ ଭୟ ରହୁଛି। ଏଥିପାଇଁ କୌଣସି ସ୍ୱତନ୍ତ୍ର ଔଷଧ ଆସିନାହିଁ। ଚାଷୀଙ୍କୁ ପନିପରିବା ଚାଷ ଉପରେ ନିମ୍ବପତ୍ର ସିଞ୍ଚନ କରିବାକୁ ପରାମର୍ଶ ଦିଆଯାଉଛି। ପଞ୍ଚାୟତସ୍ତରରେ ଚାଷୀଙ୍କୁ ପଙ୍ଗପାଳ ନେଇ ସଚେତନ କରାଯାଉଛି ବୋଲି କହିଥିଲେ।