ବଲାଙ୍ଗିର,ଏନ୍ଏନ୍ଏସ୍: ଲକଡାଉନ ଯୋଗୁ ପ୍ରାୟ ଦୁଇ ମାସ ଧରି ଘରୋଇ ବସ ସେବା ବନ୍ଦ ରହିଥିଲା। ଏହାଦ୍ୱାରା ମାଲିକଙ୍କଠାରୁ ଆରମ୍ଭ କରି କର୍ମଚାରୀମାନେ ମଧ୍ୟ ଆର୍ଥିକସ୍ତରରେ ବିଶେଷ ଭାବେ ପ୍ରଭାବିତ ହୋଇଥିଲେ। ଏଭଳି ସ୍ଥିତିରେ ଜୀବନ ଜୀବିକାକୁ ପ୍ରାଧାନ୍ୟ ଦେଇ ବଲାଙ୍ଗିର ଘରୋଇ ବସ ମାଲିକ ସଂଘ ଜିଲ୍ଲା ଭିତରେ ସେମାବାରଠାରୁ ବସ ଚଳାଚଳ ଆରମ୍ଭ କରିଛି ବୋଲି ସଂଘର ସଭାପତି ହେମନ୍ତ ପଣ୍ଡା ଜଣାଇଛନ୍ତି। ଏହି ବସ ଚଳାଚଳ ସମୟରେ ସମସ୍ତ ପ୍ରକାର ସୁରକ୍ଷାକୁ ନଜର ଦିଆଯାଇଛି। ବସମାନଙ୍କୁ ସାନିଟାଇଜ କରାଯାଉଥିବା ବେଳେ ବସର ଡ୍ରାଇଭର, କଣ୍ଡକ୍ଟର ଓ ଅନ୍ୟାନ୍ୟ କର୍ମଚାରୀମାନେ ମାସ୍କ ପିନ୍ଧୁଛନ୍ତି। ଯାତ୍ରୀମାନଙ୍କୁ ମଧ୍ୟ ହାତ ଧୋଇବା ପାଇଁ କୁହାଯାଉଛି। ଗନ୍ତବ୍ୟ ସ୍ଥଳରୁ ବସଷ୍ଟାଣ୍ଡକୁ ଫେରିବା ପରେ ବସକୁ ପୁଣିଥରେ ସାନିଟାଇଜ କରାଯାଉଛି। ଲକଡାଉନ କଟକଣା ଯୋଗୁ ଲୋକଙ୍କ ଭିତରେ ଏକ ଭୟର ବାତାବରଣ ଲାଗି ରହିଛି। ଫଳରେ ବସ ଚଳାଚଳ ଆରମ୍ଭ କରିଥିଲେ ମଧ୍ୟ ଯାତ୍ରୀ ହେଉନାହାନ୍ତି। ତେବେ ଧୀରେ ଧୀରେ ଲୋକଙ୍କ ଭିତରେ ସଚେତନତା ବଢ଼ିବ ଓ ବସ ଗୁଡ଼ିକରେ ଯାତ୍ରୀ ସ୍ୱାଭାବିକ ହେବେ ବୋଲି ସଂଘ ଆଶା ରଖିଛି ।