ଦେବଗଡ଼,ଏନ୍ଏନ୍ଏସ୍ : ଆଗାମୀ ମୌସୁମୀ ପ୍ରବାହକୁ ଦୃଷ୍ଟିରେ ରଖି କୌଣସି ସମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ନିମନ୍ତେ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟିର ବୈଠକ ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଧରମ ହାଁସଦା, ଉପଜିଲ୍ଲାପାଳ ବ୍ରଜବନ୍ଧୁ ଭୋଇ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରବିନାରାୟଣ ସିଂ ଏବଂ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ, ଡିଆରଡିଏ ସୁଶାନ୍ତ ଦେବକୀ ପଟେଲଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ତହସିଲଦାରମାନେ ଯୋଗଦେଇଥିଲେ।
ଜିଲ୍ଲାପାଳ ଶ୍ରୀ ସାମଲ କୌଣସି ପ୍ରକାର ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେବା ନିମନ୍ତେ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ସବୁବେଳେ ପ୍ରସ୍ତୁତ ହୋଇ ରହିବାକୁ ପରାମର୍ଶ ଦେବା ସଂଗେ ସଂଗେ ଆଗାମୀ ମୌସୁମୀରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ନିମନ୍ତେ ଯଥେଷ୍ଟ ପୂର୍ବରୁ ବିଭାଗୀୟ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାରେ ସମ୍ଭାବ୍ୟ ପଙ୍ଗପାଳ ଆକ୍ରମଣରୁ ଫସଲକୁ ରକ୍ଷା କରିବାପାଇଁ କୃଷି ଓ ଉଦ୍ୟାନ ବିଭାଗ ସରକାରଙ୍କ ମାର୍ଗଦର୍ଶିକା ଅନୁଯାୟୀ ସେମାନଙ୍କ ବିଭାଗୀୟ ପ୍ରସ୍ତୁତି ଉପରେ ତୁରନ୍ତ ଜିଲ୍ଲାପାଳଙ୍କୁ ଅବଗତ କରିବାକୁ ପରାମର୍ଶ ଦେଇଥିଲେ। ସେ କହିଲେ ଯେ, ସରକାରଙ୍କ ପକ୍ଷରୁ ବର୍ତ୍ତମାନ ଲକଡାଉନକୁ ଅପସାରଣ କରିବାର ପ୍ରକ୍ରୀୟା ଆରମ୍ଭ କରାଯାଇଥିବାରୁ ସାଧାରଣ ଜୀବନଯାତ୍ରା କ୍ରମେ ସ୍ୱାଭାବିକ ହେବ। ତେଣୁ କରୋନା ମହାମାରୀର ସଂକ୍ରମଣକୁ ପ୍ରତିହତ କରିବାପାଇଁ ଆମ ସମସ୍ତଙ୍କୁ ଅଧିକ ସତର୍କ ହେବାକୁ ପଡିବ।
ଜିଲ୍ଲାର ବିଭିନ୍ନ କାର୍ଯ୍ୟାଳୟରେ କାମ କରୁଥିବା ଅଧିକାରୀ ତଥା କର୍ମଚାରୀମାନେ ସଂକ୍ରମଣକୁ ରୋକିବାପାଇଁ ସରକାରଙ୍କ ପକ୍ଷରୁ ନିଆଯାଇଥିବା ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ଯଥା-ମାସ୍କ ବ୍ୟବହାର, ସାମାଜିକ ଦୂରତା ରକ୍ଷା, ବାରମ୍ବାର ହାତକୁ ସାବୁନରେ ଧୋଇବା, ସର୍ବସାଧାରଣ ସ୍ଥାନରେ ଛେପ ନ ପକାଇବା ଏବଂ ସଙ୍ଗରୋଧ ନିୟମକୁ ସମସ୍ତେ କଡାକଡି ଭାବେ ପାଳନ କରିବା ଉପରେ ସେ ଗୁରୁତ୍ୱାରୋପ କରିବା ସଂଗେ ସଂଗେ ଅମାନ୍ୟ କରୁଥିବା କର୍ମଚାରୀମାନଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ। ବୈଠକରେ ଉପସ୍ଥିତ କୃଷି,ଶକ୍ତି, ପଶୁ ସମ୍ପଦ, ମତ୍ସ୍ୟ, ବେସାମରିକ ଯୋଗାଣ, ସ୍ୱାସ୍ଥ୍ୟ, ନଗର ଉନ୍ନୟନ, ଆରଡବ୍ଲୁଏସ୍ଏସ୍, ପିଏଚଡି ଜଙ୍ଗଲ ଓ ପରିବେଶ, ଜାତୀୟ ରାଜପଥ ବିଭାଗ ଗୁଡିକର ଜିଲ୍ଲାସ୍ତରୀୟ ଅଧିକାରୀମାନେ ସମ୍ଭାବ୍ୟ ବିପର୍ଯ୍ୟୟ ମୁକାବିଲା ନିମନ୍ତେ ବିଭାଗୀୟ ପ୍ରସ୍ତୁତି ଉପରେ ସୂଚନା ପ୍ରଦାନ କରିଥିଲେ।
ଜିଲ୍ଲାପାଳ ଶ୍ରୀ ସାମଲ କୃଷି ବିଭାଗ ପକ୍ଷରୁ ବିହନ, ସାର, କୀଟ ନାଶକ ଔଷଧ ଇତ୍ୟାଦି ଯଥେଷ୍ଟ ପରିମାଣରେ ଗଚ୍ଛିତ କରି ରଖିବାପାଇଁ ନିର୍ଦ୍ଦେଶ ଦେବା ସହ ଶକ୍ତି ବିଭାଗ ପକ୍ଷରୁ କୌଣସି ପରିସ୍ଥିତିର ମୁକାବିଲା ନିମନ୍ତେ ମରାମତି ପାଇଁ ଆବଶ୍ୟକୀୟ ସରଞ୍ଜାମ ଗଚ୍ଛିତ କରି ରଖିବାକୁ କହିଥିଲେ। ସେହିଭଳି ବିଚ୍ଛିନ୍ନ ବିଦ୍ୟୁତ୍ ସରବରାହକୁ ପୁନଃ ଚାଲୁ କରିବାପାଇଁ ତ୍ୱରିତ୍ ପଦକ୍ଷେପ ନେବା ଉପରେ ଗୁରୁତ୍ୱାରୋପ କରିଥିଲେ। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ପ୍ରକାର ଆବଶ୍ୟକୀୟ ଔଷଧ ଗଚ୍ଛିତ କରି ରଖିବାପାଇଁ ପରାମର୍ଶ ଦେବା ସହ ସାପକାମୁଡା ଉପରେ ଲୋକଙ୍କୁ ସଚେତନ କରିବାପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ବର୍ଷା ଆଗମନ ପୂର୍ବରୁ ପୌରାଞ୍ଚଳର ନଳ ନର୍ଦ୍ଦମାଗୁଡିକର ସଫା, ବିଦ୍ୟାଳୟ ଗୃହ, ଅଙ୍ଗନବାଡି କେନ୍ଦ୍ର, କଚାରାସ୍ତା, କଲଭର୍ଟଗୁଡିକର ମରାମତି ଓ ରକ୍ଷଣା ବେକ୍ଷଣ, ପ୍ରଭାବିତ ଲୋକଙ୍କୁ ବାଉଁଶ ଓ ବଲି ରିହାତି ଦରରେ ଯୋଗାଇଦେବା ଏବଂ ଯୋଗାଯୋଗର ସୁବିଧା ବ୍ୟବସ୍ଥା ନିମନ୍ତେ ଓା୍ୱରଲେସ ଷ୍ଟେସେନ ସ୍ଥାପନ ଉପରେ ନିଷ୍ପତ୍ତି ନିଆଯାଇଥିଲା। ବେସାମରିକ ଯୋଗାଣ ବିଭାଗ ପକ୍ଷରୁ ଦୁର୍ଗମ ଅଞ୍ଚଳଗୁଡିକରେ ଯଥେଷ୍ଟ ପରିମାଣର ଶୁଖିଲା ଖାଦ୍ୟ ଓ କିରୋସିନି ଗଚ୍ଛିତ କରି ରଖିବାପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲା, ବ୍ଲକ ଓ ତହସିଲ କାର୍ଯ୍ୟାଳୟରେ ନିୟନ୍ତ୍ରଣ କକ୍ଷ କାର୍ଯ୍ୟ କରିବାପାଇଁ ନିଷ୍ପତ୍ତି ନିଆଯାଇଥିଲା। ଜିଲ୍ଲା ଆପାତକାଳୀନ ଅଧିକାରୀ ସୁଶାନ୍ତ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।