ଫୁଲବାଣୀ,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ପବିଙ୍ଗିଆ ପଞ୍ଚାୟତର ମଗମୁଣ୍ଡା ଗାଁରେ ରବିବାର ରାତ୍ରିରେ ବଜ୍ରପାତ ଘଟି ୩ ଜଣ ବ୍ୟକ୍ତି ଗୁରୁତର ଆହତ ହୋଇଥିଲେ। ତେବେ ଗୁରୁତରମାନେ ହେଲେ ଦାନାସିଂ କହଁର, ଧନଞ୍ଜୟ କହଁର ଓ ଗୁନି କହଁର। ରବିବାର ସନ୍ଧ୍ୟାରେ ସେମାନେ ଧନଞ୍ଜୟ କହଁରଙ୍କ ଘର ବାରଣ୍ଡାରେ ବସିଥିବା ବେଳେ ହଠାତ ବର୍ଷା ସହ ଝଡ ତୋଫାନ ଓ ବଜ୍ରପାତ ହୋଇଥିଲା। ଏହି ସମୟରେ ବଜ୍ରପାତରେ ଏହି ୩ ଜଣ ବ୍ୟକ୍ତି ଗୁରୁତର ଆହତ ହୋଇଥିଲେ।
ଖବରପାଇ ଫିରିଙ୍ଗିଆ ଅଗ୍ନିସମ ବିଭାଗ ଓ ଆମ୍ବୁଲାନ୍ସ ଗାଁ’ରେ ପହଞ୍ଚି ଆହତ ବ୍ୟକ୍ତିମାନଙ୍କୁ ଫିରିଙ୍ଗିଆ ଡାକ୍ତର ଖାନାକୁ ଚିକିତ୍ସା ପାଇଁ ଆଣିଥିଲେ। ୩ ଜଣଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ସେମାନଙ୍କୁ ରାତ୍ରିରେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନନ୍ତରିତ କରାଯାଇଛି। ଅନ୍ୟପଟେ ଏହି ମଗମୁଣ୍ଡା ଗାଁ’କୁ ଭଲ ରାସ୍ତାଟିଏ ନଥିବାରୁ ଉଭୟ ଆମ୍ବୁଲାନ୍ସ ଓ ଅଗ୍ନିଶମ ଗାଡି ଯାଇପାରିନଥିଲା। ବହୁ ଚେଷ୍ଟାପରେ ପ୍ରାୟ ୩ ଘଣ୍ଟା ପରେ ଅଧା ରାସ୍ତାରେ ଆମ୍ବୁଲାନ୍ସ ଓ ଅଗ୍ନିସମ ବିଭାଗ ପହଞ୍ଚି ଗ୍ରାମବାସୀଙ୍କ ସହଯୋଗରେ ଗୁରୁତରମାନଙ୍କୁ ଅଧାବାଟ ବୋହି ଆଣିବା ପରେ ସେମାନଙ୍କୁ ଆମ୍ବୁଲାନ୍ସରେ ମେଡ଼ିକାଲ ନିଆଯାଇଥିଲା।
ସୂଚନା ଯୋଗ୍ୟ ବର୍ଷ ବର୍ଷ ଧରି ଭଲ ରାସ୍ତାଟିଏ ପାଇଁ ଏହି ମଗମୁଣ୍ଡା ଗ୍ରାମାବାସୀ ବାରମ୍ବାର ଦାବି କରିଆସୁଥିଲେ ହେଁ ଏ ପର୍ଯ୍ୟନ୍ତ ଭଲ ରାସ୍ତାଟିଏ ହୋଇପାରି ନାହିଁ। ଏ ନେଇ ଗ୍ରାମବାସୀ ଦୁଇ ଦୁଇ ଥର ଭୋଟ ବର୍ଜନ ମଧ୍ୟ କରିସାରିଥିଲେ। ଏଥିସହିତ ଗ୍ରାମବାସୀ ସ୍ଥାନୀୟ ପ୍ରଶାସନ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ଅଭିଯୋଗ କରିସାରିଲେଣି। ଗ୍ରାମବାସୀଙ୍କ କହିବା ଆସନୁସାରେ ରାସ୍ତା ନଥିବାରୁ ଅନେକ ଲୋକଙ୍କ ଜୀବନ ମଧ୍ୟ ଯାଇ ସାରିଲାଣି। ତେବେ ଏହି ଘଟଣାପରେ ସ୍ତାନୀୟ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଥିବା ବେଳେ ଗାଁକୁ ଏକ ଭଲ ରାସ୍ତା ପାଇଁ ଦାବି କରିଛନ୍ତି।