ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟକୁ ଆସିଥିବା ପିପିଇ କିଟକୁ ଫେରାଇ ଦେଲେ ରାଜ୍ୟ ସରକାର। ପଞ୍ଜାବରୁ ୪୦ଟି ଟ୍ରକ ଭର୍ତ୍ତି ହୋଇ ପିପିଇ କିଟ ରାଜ୍ୟକୁ ଆସିଥିବା ବେଳେ ରାଜ୍ୟରେ ଏହାର ଅଭାବ ନଥିବା ଦର୍ଶାଇ ଗାଡ଼ିଗୁଡ଼ିକୁ ଫେରାଇ ଦିଆଯାଇଥିବା ଜଣାପଡ଼ିଛି। ତେବେ ପଞ୍ଜାବରୁ ୪୦ଟି ଟ୍ରକ ମାସ୍କ, ଗ୍ଲୋବ୍ସ, ସାନିଟାଇଜର ଓ ପିପିଇ କିଟ୍ ନେଇ ରାଜ୍ୟକୁ ଆସିଥିଲା।
ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ଏକ ପ୍ରେସ ମିଟରେ କହିଛନ୍ତି ଯେ ମେ’୨୬ ଠାରୁ ରାଜ୍ୟରେ ଆବଶ୍ୟକ ଠାରୁ ଅଧିକ ମାତ୍ରାରେ ପିପିଇ କିଟ୍ ଉପଲବ୍ଧି ଅଛି। ବର୍ତ୍ତମାନ ରାଜ୍ୟରେ ଆଉ ପିପିଇ କିଟର ଆବଶ୍ୟକ ନାହିଁ, ତେଣୁ ଏହାକୁ ଅନ୍ୟ ରାଜ୍ୟକୁ ପଠାଇ ଦେବା ନେଇ ଶ୍ରୀ ଦାସ କିଟ୍ କମ୍ପାନୀକୁ କହିଛନ୍ତି।
ଅନ୍ୟପଟେ କମ୍ପାନୀ ମୁଖପାତ୍ରଙ୍କ କହିବା ଅନୁସାରେ ଓଏସ୍ଏମସିଏଲ୍ ପକ୍ଷରୁ ରାଜ୍ୟକୁ ଜୁନ୍ ସୁଦ୍ଧା ପିପିଇ କିଟ୍ ପଠାଇବା ପାଇଁ କୁହାଯାଇଥିଲା। ମାତ୍ର ହଠାତ୍ ଏହି ତାରିଖକୁ ମେ’୨୬ କରି ରାଜ୍ୟ ସରକାର ପିପିଇ କିଟ୍ ଗ୍ରହଣ କରୁନଥିବା ଅଭିଯୋଗ ହୋଇଛି।