ନୂଆଦିଲ୍ଲୀ,ଏଜେନ୍ସି: ଦିଲ୍ଲୀରୁ ମସ୍କୋକୁ ଉଡାଣ ଭରିସାରିଥିବା ବିମାନକୁ ଅଧାରୁ ଫେରାଇ ଅଣାଯାଇଥିବା ଜଣାପଡ଼ିଛି। ଉକ୍ତ ବିମାନର ଏକ ପାଇଲଟ କରୋନା ପଜିଟିଭ ହୋଇଥିବା ଜଣାପଡ଼ିବା ପରେ ଉଜବେକିସ୍ଥାନରୁ ଏହି ବିମାନକୁ ଫେରିଆସିବାକୁ ପଡ଼ିଥିଲା।
ସୂଚନା ଅନୁସାରେ ଆଜି ବିମାନଟି ଉଡାଣ ଭରିବା ପୂର୍ବରୁ ତଦାରଖ କର୍ମଚାରୀମାନେ ବିମାନର କ୍ର୍ୟୁ ମେମ୍ବରଙ୍କ କରୋନା ଟେଷ୍ଟ ରିପୋର୍ଟ ଯାଞ୍ଚ କରିଥିଲେ। ଏହି ପରିପ୍ରେକ୍ଷୀରେ ସେମାନେ ଜଣେ ପାଇଲଟର କରୋନା ଟେଷ୍ଟ ରିପୋର୍ଟକୁ ନେଗେଟିଭ ଭାବି ମଞ୍ଜୁର କରିଥିଲେ। ପରେ ପାଇଲଟ ଜଣଙ୍କ କରୋନା ପଜିଟିଭ ଜଣାପଡ଼ିବା ପରେ ସେମାନଙ୍କୁ ଅଧାରାସ୍ତାରୁ ଫେରିବାକୁ ପଡ଼ିଥିଲା। ତେବେ ଏହି ବିମାନଟି ଦିଲ୍ଲୀରେ ୧୨ଟା ୩୦ରେ ପହଞ୍ଚିବା ପରେ କ୍ର୍ୟୁ ମେମ୍ବରଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଥିବା ଜଣାପଡ଼ିଛି। ସେହିପରି ବିମାନ କର୍ତ୍ତୃପକ୍ଷ ଶନିବାର ଅପରାହ୍ଣରେ ଅନ୍ୟ ଏକ ବିମାନରେ ଯାତ୍ରୀମାନଙ୍କୁ ଦିଲ୍ଲୀରୁ ମସ୍କୋକୁ ପଠାଇବେ ବୋଲି ଜଣାପଡ଼ିଛି।