ଗୋଟିଏ ଦିନରେ ସର୍ବାଧିକ ୨୬୫ ମୃତ: ମୋଟସଂଖ୍ୟା ୪,୯୭୧କୁ ବୃଦ୍ଧି

ନୂଆଦିଲ୍ଲୀ:ଦେଶରେ କରୋନା ପ୍ରକୋପ ଦିନକୁଦିନ ଦ୍ରୁତ ଗତିରେ ବଢ଼ି ଚାଲିଛି। ଗତ ୨୪ ଘଣ୍ଟାରେ ସର୍ବାଧିକ ୨୬୫ ଜଣଙ୍କର ମୃତ୍ୟୁ ଘଟିଛି। ଫଳରେ ମୃତ୍ୟୁସଂଖ୍ୟା ୪,୯୭୧କୁ ବୃଦ୍ଧି ପାଇଛି। ସେହିପରି ଗୋଟିଏ ଦିନରେ ସବୁଠୁ ଅଧିକ ୭ ହଜାର ୯୬୪ଟି ନୂଆ ମାମଲା ସାମ୍ନାକୁ ଆସିଛି।

ଲକଡାଉନ କଟକଣା କୋହଳ, ଘରୋଇ ବିମାନ ସେବା ଆରମ୍ଭ, ସ୍ୱତନ୍ତ୍ର ଶ୍ରମିକ ଟ୍ରେନରେ ଶ୍ରମିକଙ୍କୁ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଆଣିବା, ବିଦେଶରେ ଫସି ରହିଥିବା ଭାରତୀୟଙ୍କୁ ଦେଶକୁ ଫେରାଇ ଆଣିବା ପରେ ଗତ କିଛି ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଥିବା ଦେଖିବାକୁ ମିଳିଛି। ଦେଶରେ ମାର୍ଚ୍ଚ ୨୫ରୁ ଲକଡାଉନ ଜାରି ଥିଲେ ମଧ୍ୟ ଲକଡାଉନର ଚତୁର୍ଥ ପର୍ଯ୍ୟାୟରେ କେତେକ କ୍ଷେତ୍ରରେ ନିୟମକୁ କୋହଳ କରାଯାଇଛି।

ସୂଚନାଯୋଗ୍ୟ, ଗୋଟିଏ ଦିନରେ ୧୧ ହଜାର ୨୬୪ ଜଣ ଆରୋଗ୍ୟ ଲାଭ କରିଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ମୁତାବକ, ଦେଶରେ ବର୍ତ୍ତମାନ ସୁଦ୍ଧା ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ଲକ୍ଷ ୭୩ହଜାର ୭୬୩ ହୋଇଥିବାବେଳେ ୮୨ ହଜାର ୩୭୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।