ସ୍ୱତନ୍ତ୍ର ଶ୍ରମିକ ଟ୍ରେନ ଯୋଗେ ଆସିଲେ ୮୫ ପ୍ରବାସୀ

ରାୟଗଡା,ଏନ୍ଏନ୍ଏସ୍ : ତାମିଲନାଡୁର ତିରୁପୁରରୁ ଏକ ସ୍ୱତନ୍ତ୍ର ଶ୍ରମିକ ଟ୍ରେନ ଯୋଗେ ରାୟଗଡା ରେଳ ଷ୍ଟେସନରେ ପହଂଚିଛନ୍ତି ୮୫ ପ୍ରବାସୀ ଓଡିଆ ଶ୍ରମିକ। ସ୍ୱତନ୍ତ୍ର ଟ୍ରେନ ଯୋଗେ ପ୍ରବାସୀ ଶ୍ରମିକମାନେ ଆସୁଥିବା ନେଇ ଜିଲ୍ଲା ପ୍ରଶାସନ ନିକଟରେ ପୂର୍ବରୁ ସୂଚନା ରହିଥିଲା ।

ଏ ନେଇ ଆଜି ରାୟଗଡା ସହରର ଗଜପତି ଛକ ଠାରୁ ସାଇ ଇଂଟରନ୍ୟାସନାଲ ଛକ ଯାଏଁ ପ୍ରଶାସନ ତରଫରୁ ୧୪୪ ଧାରା ଜାରି କରାଯାଇ ୪ ଜଣରୁ ଅଧିକ ବ୍ୟକ୍ତି ଗୋଟିଏ ଜାଗାରେ ଏକତ୍ରିତ ନ ହେବା ପାଇଁ ନିର୍ଦେଶନାମା ଜାରୀ ହୋଇଥିଲା।

ରାୟଗଡା ରେଳ ଷ୍ଟେସନରେ ଓହ୍ଲାଇଥିବା ୮୫ ଜଣ ପ୍ରବାସୀ ଶ୍ରମିକମାନଙ୍କ ମଧ୍ୟରୁ ରାୟଗଡା ଜିଲ୍ଲାର ୪୭ ଜଣ, ଗତପତିର ୨୬ ଜଣ, କୋରାପୁଟର ୫, ମାଲକାନଗିରର ୭ ଜଣ ଶ୍ରମିକ ଥିଲେ।  ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା, ଆରକ୍ଷୀ ଅଧିକ୍ଷକ ଡ.ଶ୍ରବଣା ବିବେକ ଏମ, ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ପଣ୍ଡା, ଉପ-ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ ପ୍ରମୁଖ ରାୟଗଡା ରେଳ ଷ୍ଟେସନ ପରିସରରେ ଉପସ୍ଥିତ ରହି ଶ୍ରମିକମାନଙ୍କୁ ସ୍ୱାଗତ କରିଥିଲେ। ଶ୍ରମିକମାନଙ୍କୁ ପଞ୍ଜିକରଣ ସହ ଥର୍ମାଲ ସ୍କ୍ରିନିଂ କରାଯାଇଥିଲା ଏବଂ ହାତରେ ମୋହର ମରାଯାଇଥିଲା ।