ନୂଆଦିଲ୍ଲୀ,ଏଜେନ୍ସି: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବୁଧବାର ଏକ ପ୍ରେସ ମିଟରେ କରୋନା ସଂକ୍ରମଣ ପରର ଦୃଶ୍ୟକୁ ବର୍ଣ୍ଣନା କରିଛନ୍ତି। ଏହି ପରିପ୍ରେକ୍ଷୀରେ ସେ କହିଛନ୍ତି ଯେ ଏହି ମହାମାରୀ ପରେ ବିଶ୍ୱରେ ଏକ ନୂତନ ଅଧ୍ୟାୟ ଆରମ୍ଭ ହେବ। ଏଥିସହ ସେ ଲୋକଙ୍କ ମନ୍ତବ୍ୟକୁ ଉପସ୍ଥାପନ କରି କହିଛନ୍ତି ଯେ ‘୯/୧୧ରେ ଦେଶର ଅଭୁଲା ମୁମ୍ବାଇ ଆଟାକ ଗୋଟେ ନୂଆ ଅଧ୍ୟାୟ ହୋଇଥିବା ବେଳେ ଏବେ କୋଭିଡ-୧୯ ଏକ ନୂଆ ବହି’।
ତେଣୁ ଏହାର ପରବର୍ତ୍ତୀ ସମୟ କିପରି ରହିବ ସେ ନେଇ ରାହୁଲ ଗାନ୍ଧୀ ଆମେରିକାର ହେଲ୍ଥ ଏକ୍ସପର୍ଟ ଏବଂ ହାୱାର୍ଡ ହେଲ୍ଥ କେନ୍ଦ୍ରର ଡାଇରେକ୍ଟର ଆଶୀଷ ଝାଙ୍କ ସହ କଥା ହୋଇଥିଲେ। ଏହି ପରିପ୍ରେକ୍ଷୀରେ ମହାମାରୀ ପରେ ଆମେରିକା ଓ ଚାଇନାର କ୍ଷମତାରେ ପରିବର୍ତ୍ତନ ଆସିଛି ବୋଲି ବିଶେଷଜ୍ଞମାନେ ମତ ଦେଇଥିବା ରହୁଲ କହିଛନ୍ତି। ଏବଂ ଏହି ସଙ୍କଟରୁ ମୁକୁଳି ସମ୍ପୂର୍ଣର୍ ଭାବେ ସବଳ ହେବା ପାଇଁ ୨ ବର୍ଷରୁ ଊଦ୍ଧ୍ୱର୍ ସମୟ ଲାଗିବ ବୋଲି ଜଣାପଡ଼ିଛି।
ରାହୁଲ କହିଛନ୍ତି ଯେ ଏହି ମହାମାରୀ ପାଇଁ ଆମେ କାହାକୁ ଦାୟୀ କରିପାରିବା ନାହିଁ। ଏହାକୁ ରୋକିବାରେ ସବୁ ରାଜ୍ୟ ପ୍ରଚେଷ୍ଟା ଜରି ରଖିଥିବା ବେଳେ କେତେଟି ରାଜ୍ୟ ନିୟମର ସଠିକ ପାଳନ କରି ନଥିବାରୁ ସେଠାରେ ସର୍ବାଧିକ ହାରରେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କୁ ବର୍ତ୍ତମାନ ଅଧିକ ସତର୍କ ରହିବାକୁ ହେବ ବୋଲି ରାହୁଲ କହିଛନ୍ତି। ଏଥିସହ ସେ କହିଛନ୍ତି ଯେ ଏହି ଭୂତାଣୁ ଲୋକମାନଙ୍କୁ ଏକ ଶିକ୍ଷା ଦେଇଛି ଯେ କୌଣସି ବିପଦ ସମୟରେ ଜାତି, ଧର୍ମ, ବର୍ଣ୍ଣ ଓ ଲିଙ୍ଗ କେବେ ଅଲଗା ହୋଇ ଏହାର ମୁକାବିଲା କରିପାରିବେ ନାହିଁ। ଏଥି ପାଇଁ ସମସ୍ତଙ୍କୁ ଏକଜୁଟ ହେବାକୁ ପଡ଼ିବ ବୋଲି କହିଛନ୍ତି।