ନିଷ୍ଠୁର କୋଭିଡ : ଛୁଆକୁ ଛୁଇଁପାରୁନି ମା’

ମାଲକାନଗିରି,ଏନ୍ଏନ୍ଏସ୍ : ମା’ ଭଳି କରୁଣ ଡାକ ଆଉ ଶୁଣିପାରୁନି ଜନ୍ମଦାତ୍ରୀ ମାତା। ଚାହିଁଲେ ବି ଶିଶୁକୁ କୋଳେଇ ପାରୁନି ସେହି ମା’। ଏ ହେଉଛି ୪ ବର୍ଷ ଶିଶୁ କନ୍ୟାର ଅନ୍ତର ବେଦନାର ପରିଭାଷା। ବାପା ମା’ର ପଜିଟିଭ୍ ବାହାରିଲା ପରେ ସେମାନେ ଏବେ କୋଭିଡ ହସ୍ପିଟାଲରେ। କିନ୍ତୁ ଗୋଟିଏ ବୋଲି ୪ ବର୍ଷ ଶିଶୁ ବାପା-ମାଆଙ୍କ ଠାରୁ ଅଲଗା ହୋଇଯାଇଛି। ଅଲିଅଳି ଶିଶୁକନ୍ୟା ବାପା ମା’କୁ ଝୁରି ଝୁରି ଆଖିର ଲୁହ ଶୁଖିଗଲାଣି। କରୋନାର ଏହି କରାଳ ଚକ୍ରବ୍ୟୂହରେ ପେଷି ହେଇଯାଉଛି ରକ୍ତର ସମ୍ପର୍କ। ଚାହିଁଲେ ବି ମା’ କୋଳେଇପାରୁନି ତାର ଛୁଆକୁ।

ଘଟଣାଟି ହେଉଛି ମାଲକାନଗିରି ସହରର ଗୋଟିଏ ପରିବାରର କାହାଣୀ। ଉକ୍ତ ପରିବାର ୪ ଜଣ ଏବେ କରୋନାରେ ଆକ୍ରାନ୍ତ। ଭଉଣୀର ବାହାଘର ପାଇଁ ଲକଡାଉନ୍ ଘୋଷଣା ହେବା ପୂର୍ବରୁ ବିଶାଖାପାଟଣା ଯାଇଥିଲେ ପରିବାର ୮ ଜଣ ସଦସ୍ୟ। ଲକଡାଉନ୍ ଯୋଗୁଁ ଆଉ ଫେରିପାରି ନଥିବା ଯୋଗୁଁ ବିଶାଖାପାଟଣାରେ ଏକ ଘରଭଡ଼ା ନେଇ ୨ ମାସ ରହିବାକୁ ପଡ଼ିଥିଲା। ଲକଡାଉନ-୪ର କୋହଳ ଘୋଷଣା ହେବା ପରେ ସପ୍ତାହକ ପୂର୍ବରୁ ଏକ ଗାଡ଼ି ଭଡ଼ାକରି ମାଲକାନଗିରି ସ୍ଥିତ ନିଜ ଘରକୁ ଫେରିଥିଲେ। ଘରକୁ ନଯାଇ ସିଧା ସେମାନେ ଟିଏମସିରେ ରହିଥିଲେ।

ସମସ୍ତଙ୍କ ନମୂନା ସଂଗ୍ରହ କରାଯାଇ ରିପୋର୍ଟ ଆସିଲା । ମୋଟ ୮ ଜଣ ସଦସ୍ୟଙ୍କ ମଧ୍ୟରୁ ୪ ଜଣଙ୍କ ବାହାରିଲା ପଜିଟିଭ୍। ବାପା ମା’ଙ୍କ ସମେତ ୪ ଜଣଙ୍କର ପଜିଟିଭ ବାହାରିଥିବା ବେଳେ ୪ ବର୍ଷର ଶିଶୁକନ୍ୟାର ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିଥିଲା। ପଜିଟିଭ ସଦସ୍ୟମାନଙ୍କୁ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଗଲା। ହେଲେ ଅଲିଅଳି ଶିଶୁ କନ୍ୟାକୁ ଏଟିଏମସିରେ ଛାଡ଼ି ଯିବାକୁ ବାଧ୍ୟହେଲେ ବାପା ମା’। ଏବେ ସପ୍ତାହ ହେଲାଣି ବାପା ମା’ଙ୍କୁ ଝୁରି ଝୁରି କାନ୍ଦୁଛି ଝିଅ । କିନ୍ତୁ ସମୟର କାଳଚକ୍ରରେ ବାଧ୍ୟ ହୋଇ ବାପା ମାଆ ଛାଡ଼ି ଯାଇଥିବା କଥା କିଏ ବୁଝାଇବ ସେହି ଅଳିଅଳ ଅବୁଝା ଝିଅକୁ। ଅଦୃଶ୍ୟ କରୋନାର ଅଦୃଶ୍ୟ ଶକ୍ତି ଯୋଗୁଁ ବିଭାଜନ ହେଉଛି ପରିବାର। ଆଉ ରକ୍ତର ସମ୍ପର୍କକୁ ଅଲଗା କରି ରଖୁଛି, ଏହି ଅଦୃଶ୍ୟ ଶକ୍ତି। ତେବେ କେବେ ବାହାରିବ ଏହାର ଟିକା ଓ ମାନବଜାତି ଏହାକୁ ଭେଦ କରିବ, ଏହାକୁ ନେଇ ବିଶ୍ୱର ପ୍ରତ୍ୟେକ ବ୍ୟକ୍ତି ଅପେକ୍ଷାରତ।