ଆସିଲେ ପ୍ରବାସୀ, ବଢିଲା ମୁଣ୍ଡବ୍ୟଥା ଖାଇବା ପିଇବା ନ ପାଇ ରାଜପଥ ଅବରୋଧ କଲେ ପ୍ରବାସୀ ଜିଲ୍ଲାରାଜ୍ୟ By Nitidin Last updated May 26, 2020 Share ଭଦ୍ରକ,ଏନ୍ଏନ୍ଏସ୍ : ପ୍ରତିଦିନ ଭଦ୍ରକ ଷ୍ଟେସନରେ ହଜାର ହଜାର ପ୍ରବାସୀ ଓଡ଼ିଆ ଟ୍ରେନ ଯୋଗେ ଆସି ପହଂଚୁଛନ୍ତି। ଜିଲ୍ଲା ପ୍ରଶାସନ ପକ୍ଷରୁ ସେମାନଙ୍କୁ ନିଜ ନିଜ ଅଂଚଳକୁ ଯିବା ନିମନ୍ତେ ବନ୍ଦୋବସ୍ତ କରାଯାଉଛି। ଗତକାଲି ସନ୍ଧ୍ୟାରୁ ଆଜି ସନ୍ଧ୍ୟା ମଧ୍ୟରେ ମୋଟ ୫ଟି ଟ୍ରେନ ଆସି ପହଂଚିଛି। ଚେନ୍ନାଇ, ସୁରଟ ଭଳି ବିଭିନ୍ନ ଅଂଚଳରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ଟ୍ରେନ ଆସିଛି। ଏଥିରେ ଭଦ୍ରକ ଜିଲ୍ଲା ବ୍ୟତୀତ ବଲାଙ୍ଗିର, ବରଗଡ, ବାଲେଶ୍ୱର, କଟକ, ଦେବଗଡ, ଢେଙ୍କାନାଳ, ଗଞ୍ଜାମ, ଯାଜପୁର, ଜଗତସିଂହପୁର, ଖୋର୍ଦ୍ଧା, କେନ୍ଦୁଝର, କେନ୍ଦ୍ରାପଡା, ମାଲକାନଗିରି, ମୟୁରଭଞ୍ଜ, କୋରାପୁଟ, କନ୍ଧମାଳ, ନବରଙ୍ଗପୁର, ନୂଆପଡା, ନୟାଗଡ, ପୁରୀ, ରାୟଗଡା, ସମ୍ବଲପୁର, ସୁନ୍ଦରଗଡ, ଗଜପତି, ସୁବର୍ଣ୍ଣପୁର, ଅନୁଗୁଳ, ବୌଦ୍ଧ, କଳାହାଣ୍ଡି ପ୍ରଭୃତି ଜିଲ୍ଲା ସମେତ ଅନ୍ୟ ପ୍ରଦେଶର ପ୍ରବାସୀ ମିଶି ମୋଟ ୧୦ହଜାର ୮୯୭ଜଣ ଉହ୍ଲାଇଛନ୍ତି। ସେମାନଙ୍କ ମଧ୍ୟରେ କେବଳ ଭଦ୍ରକ ଜିଲ୍ଳାର ୪ହଜାର ୮୩୭ଜଣ ପ୍ରବାସୀ ରହିଛନ୍ତି। ଯାହା ଜିଲ୍ଲା ପ୍ରଶାସନ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି। ଏତେ ସଂଖ୍ୟକ ଲୋକଙ୍କୁ ଥଇଥାନ କରିବାରେ ପ୍ରଶାସନ ବିଫଳ ହୋଇଛି। ଯାହାକୁ ନେଇ ପ୍ରବାସୀ ଓଡ଼ିଆଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବା ସହ ସେମାନେ ୧୬ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରି ପ୍ରତିବାଦ କରିଛନ୍ତି। ପ୍ରଶାସନର ଆକଳନ ବାହାରେ ପ୍ରବାସୀମାନେ ଭଦ୍ରକରେ ଉହ୍ଲାଇବାରୁ ପ୍ରଶାସନ ସମସ୍ତଙ୍କୁ ନେଇ ଗତକାଲି ରାତିରେ ଭଦ୍ରକ କଲେଜ ଟିଏମସି ସେଂଟରରେ ରଖିଥିଲା। ତେବେ ସେମାନଙ୍କୁ ପର୍ଯ୍ୟାପ୍ତ ଖାଦ୍ୟ ଓ ପିଇବା ପାଇଁ ପାଣି ଯୋଗାଇବାକୁ ଅସମର୍ଥ ହୋଇଥିଲା। ଖାଇବା ପିିଇବାକୁ ନ ପାଇ ପ୍ରବାସୀମାନେ ଜିଲ୍ଲା ପ୍ରଶାସନକୁ ଯେତେ ଅନୁରୋଧ କରିଥିଲେ ମଧ୍ୟ କହି ସେମାନଙ୍କ କଥା ବୁଝି ନ ଥିଲେ। ଅନ୍ୟପକ୍ଷରେ ଯେଉଁ ଅଂଚଳ ଦେଇ ଟ୍ରେନ ଆସୁଛି, ସେ ଅଂଚଳର ଲୋକଙ୍କୁ ସେମାନଙ୍କ ନିଜ ନିଜ ପାଖ ଷ୍ଟେସନରେ ନ ଓହ୍ଲାଇ ଭଦ୍ରକକୁ ଆଣିବା, ଏପରିକି ବାହାର ରାଜ୍ୟର ଲୋକଙ୍କୁ ଆଣି ଭଦ୍ରକରେ ଓହ୍ଲାଇ ଦେବା ଦ୍ୱାରା ସେମାନଙ୍କୁ ନିଜ ନିଜ ଅଂଚଳକୁ ପଠାଇବା ପାଇଁ ଏତେ ସଂଖ୍ୟକ ଲୋକଙ୍କ ପାଇଁ ଗାଡି ଯୋଗାଡ କରିବା ନେଇ ପ୍ରଶାସନକୁ ମଧ୍ୟ ନାକେଦମ ହେବାକୁ ପଡ଼ିଛି। ଅନ୍ୟପକ୍ଷରେ ଖାଇବାକୁ ନ ପାଇ ପୁଣି ଘରକୁ ଫେରିବାରେ ବିଳମ୍ବ ହେବାରୁ ପିଲାଛୁଆ ଧରି ଦୀର୍ଘଦିନ ଟ୍ରେନରେ ବସି ଏଠାରେ ଓହ୍ଲାଇବା ପରେ ସେମାନଙ୍କ ଧୈର୍ଯ୍ୟଚ୍ୟୁତି ଘଟିଥିଲା। ଫଳରେ ଆଜି ସକାଳା ୬ଟା ବେଳକୁ ହଜାର ହଜାର ପ୍ରବାସୀ ବନ୍ତଛକ ନିକଟରେ ୧୬ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଥିଲେ। ପରେ ପୁଲିସ ଓ ଜିଲ୍ଲା ପ୍ରଶାସନ ପହଂଚି ପ୍ରବାସୀଙ୍କୁ ଘରକୁ ପଠାଇବାର ବନ୍ଦୋବସ୍ତ କରିବା ପରେ ପରିସ୍ଥିତି ନିୟନ୍ତ୍ରଣାଧୀନ ହୋଇଥିଲା। Share