ଯୌତୁକ ଲୋଭରେ ସ୍ତ୍ରୀ କୁ ହତ୍ୟା; ଜେଲ ଗଲେ ସ୍ୱାମୀ, ଶ୍ୱଶୁର

ଦେବଗଡ,ଏନ୍ଏନ୍ଏସ୍ : ଦେବଗଡ଼ ଜିଲ୍ଲା ବାରକୋଟ ଥାନା ଅନ୍ତର୍ଗତ ପଡ଼ିଆନାଳୀ ଗ୍ରାମରେ ଜଣେ ମହିଳାଙ୍କୁ ଗତ୨୪ ତାରିଖ ରାତ୍ରୀରେ ଅଧିକ ଯୌତୁକ ଦାବୀରେ ସ୍ୱାମୀ ଓ ଶ୍ୱଶୁର କିରୋସିନ ଢ଼ାଲି ପୋଡି ହତ୍ୟା କରିବା ଘଟଣାରେ ଆଜି ଉଭୟ ଅଭିଯୁକ୍ତ ସ୍ୱାମୀ ଓ ଶ୍ୱଶୁରଙ୍କୁ ବାରକୋଟ ଥାନା ପୁଲିସ ଗିରଫ କରି କୋର୍ଟ ଚାଳାଣ କରିଥିବା ବେଳେ ଅଦାଲତରେ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ ହାଜତକୁ ପଠାଇଦିଆଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ସୁନ୍ଦରଗଡ ଜିଲ୍ଲା ମହୁଲଡିହା ଥାନା ଅଂଚଳର ଚନ୍ଦ୍ରମଣୀ ସାହୁଙ୍କ ଝିଅ ଅଶ୍ୱିନୀ ସାହୁ (୩୦)ଙ୍କୁ ପଡିଆନାଳୀ ଗ୍ରାମର ରବି ସାହୁଙ୍କ ପୁଅ ନେତ୍ରାନନ୍ଦ ସାହୁ (୩୮)୧୦ବର୍ଷ ପୂର୍ବେ ବୈଦିକ ରିତିରେ ବିବାହ କରିଥିଲେ। ଏବେ ସେମାନଙ୍କର ୬ ବର୍ଷର ଏକ ପୁତ୍ର ସନ୍ତାନ ରହିଥିବା ଜଣାପଡିଛି। ତେବେ ଅଧିକ ଯୌତୁକ ପାଇଁ ଦାବୀ କରି ସ୍ୱାମୀ ନେତ୍ରା ନନ୍ଦ ଓ ଶାଶୂଘର ପରିବାର ଲୋକେ ବିଭିନ୍ନ ସମୟରେ ଅଶ୍ୱନୀଙ୍କୁ ନିର୍ଯ୍ୟାତନା ଦେଇ ଆସୁଥିଲେ। ଏହି କ୍ରମରେ ଗତ ରବିବାର ରାତ୍ରୀ ପ୍ରାୟ ୧୧ ସମୟରେ ପୁଣି ଥରେ ଅଶ୍ୱନୀ ଓ ସ୍ୱାମୀ ନେତ୍ରାନନ୍ଦଙ୍କ ସହ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ଅଶ୍ୱନୀଙ୍କ ସ୍ୱାମୀ ନେତ୍ରାନନ୍ଦ ଓ ଶ୍ୱଶୁର ରବି ଘରେ ଥିବା କିରୋସିନ ଅଶ୍ୱନୀଙ୍କ ଦେହରେ ଢାଳି ହତ୍ୟା କରିଥିଲେ। ଏ ସମ୍ପର୍କରେ ପଡୋଶୀଙ୍କ ଠାରୁ ଖବର ପାଇ ଅଶ୍ୱନୀଙ୍କ ଭାଇ ଟିକେଶ୍ୱର ସାହୁ ବାରକୋଟ ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ଅଭିଯୋଗ ଆଧାରରେ ବାରକୋଟ ଥାନା ପୁଲିସ ଏକ ମାମଲା ଋୁଜ୍ଜୁ କରି ସାଇଂଟିିଫିକ ଟିମ ସହାୟତାରେ ବାରକୋଟ ଥାନା ଭାରପ୍ରାପ୍ତ ଅଧିକାରୀ ରାଜେନ୍ଦ୍ର କୁମାର ମହାପାତ୍ର ଏସପି ରାହୁଲ ଜୈନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଘଟଣାର ତଦନ୍ତ କରୁଥିଲେ। ଘଟଣା ପରେ ଅଭିଯୁକ୍ତମାନେ ଫେରାର ହୋଇଯାଇଥିବା ବେଳେ ଆଜି ପୁଲିସ ସେମାନଙ୍କୁ ଗିରଫ କରିଥିଲା।