କରୋନା କାୟା: ପ୍ରତିଦିନ ୬ହଜାରରୁ ଊର୍ଦ୍ଧ ନୂଆ ମାମଲା

ନୂଆଦିଲ୍ଲୀ: ଦେଶରେ କରୋନା ସ୍ଥିତି ଦିନକୁଦିନ ଭୟାବହ ହେବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା କରୋନା ସଂକ୍ରମିତଙ୍କ ସଂଖ୍ୟା ୧ଲକ୍ଷ ୪୫ ହଜାର ୩୮୦ରେ ପହଂଚିଗଲାଣି। ଗତ ୨୪ ଘଣ୍ଟାରେ ୬ ହଜାର ୫୩୫ଟି ନୂଆ ମାମଲା ସାମ୍ନାକୁ ଆସିଥିବା ବେଳେ ୧୪୬ ଜଣଙ୍କର ମୃତ୍ୟୁ ଘଟିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ମୁତାବକ ୪ହଜାର ୧୬୭ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୬୦ ହଜାର ୪୯୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏକ ଆକଳନ ମୁତାବକ, ମେ’ ୨୦ରୁ ୨୫ ମଧ୍ୟରେ ପ୍ରତିଦିନ ୬,୨୦୦ଟି ନୂଆ ମାମଲା ସାମ୍ନାକୁ ଆସିଛି। ଏହି ହିସାବରେ ଯଦି ମାମଲା ବଢ଼େ ତେବେ ମେ’ ୨୬ରୁ ଜୁଲାଇ ୧ ମଧ୍ୟରେ ଅର୍ଥାତ୍ ୩୬ ଦିନ ବେଳକୁ ପାଖାପାଖି ୨ଲକ୍ଷ ୩୬ହଜାର ୨୦୦ଟି ନୂଆ କରୋନା ମାମଲା ସାମ୍ନାକୁ ଆସିପାରେ। ଆଉ ଏହି ସଂଖ୍ୟାକୁ ମେ’ ୨୫ ପର୍ଯ୍ୟନ୍ତର କରୋନା ମାମଲା ସହ ଯୋଡ଼ାଗଲେ ଜୁଲାଇ ୧ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୬୨ହଜାର ୪୫ରେ ପହଂଚିବ।