ରାଉରକେଲା,ଏନ୍ଏନ୍ଏସ୍: ରାଉରକେଲାରେ ଗତ ମାସରେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ କିଛି ଅଞ୍ଚଳକୁ କଣ୍ଟେନମେଣ୍ଟ ଓ ବୋଫର ଜୋନ ଘୋଷଣା କରାଯାଇଥିଲା। ଘଟଣାର ମାସକ ପରେ ଗତ ରାତିରୁ ପାୱାରହାଉସ ରୋଡସ୍ଥିତ ମଙ୍ଗଳଭବନରୁ ଜନତା ନିବାସ ଓ ମଧୁସୂଦନ ମାର୍ଗରୁ ଆନନ୍ଦଭବନ ଲେନ୍ ପର୍ଯ୍ୟନ୍ତ ହୋଇଥିବା ବୋଫର ଜୋନକୁ ପ୍ରତ୍ୟାହୃତ କରାଯାଇଥିଲା। କିନ୍ତୁ ଏସବୁ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ରଖାଯାଇଥିଲା। ଏହି ରାସ୍ତାଦେଇ ଯାଇଥିବା ମୁଖ୍ୟରାସ୍ତାକୁ କେବଳ ଗାଡ଼ି ଚଳାଚଳ ପାଇଁ ଅନୁମତି ଦିଆଯାଇଥିଲା। ସାଧାରଣ ଲୋକଙ୍କ ଯା’ ଆସକୁ ରୋକିବା ପାଇଁ ୧୦ଟି ସ୍ଥାନରେ ବ୍ୟାରିକେଡ କରାଯାଇଥିଲା। ତେଣୁ କଣ୍ଟେନମେଣ୍ଟ ଜୋନକୁ ପ୍ରତ୍ୟାହୃତ କରିବା ଦାବିରେ ସ୍ଥାନୀୟ ଲୋକ ଆଜି ପ୍ଲାଣ୍ଟସେଣ୍ଟ ଥାନା ସମ୍ମୁଖରେ ବିକ୍ଷୋଭ କରିଥିଲେ। ଘଟଣା ସ୍ଥଳରେ ନିଆଁ ଲଗାଇବା ସହ ଭଙ୍ଗାରୁଜା କରିଥିଲେ।
ମିଳିଥିବା ରିପୋର୍ଟ ମୁତାବକ, ଏଭଳି ଅପ୍ରୀତିକର ସ୍ଥିତିକୁ ଦୃଷ୍ଟିରେ ରଖି ବ୍ୟାପକ ପୁଲିସ ମୁତୟନ କରାଯିବା ସହ ବରିଷ୍ଠ ପୁଲିସ ଅଧିକାରୀ ମଧ୍ୟ ଉପସ୍ଥିତ ରହିଛନ୍ତି। ଉତ୍ତ୍ୟକ୍ତ ଲୋକଙ୍କ ଢ଼େଲାମାଡ଼ ଆକ୍ରମଣରେ ପ୍ରାୟ ୧୫ ଜଣ ପୁଲିସ ଆହତ ହୋଇଛନ୍ତି। ରାଉରକେଲାର ମହାତାବ ଅଞ୍ଚଳରେ ଏହା ପୂର୍ବରୁ ମଧ୍ୟ ସ୍ଥାନୀୟ ଲୋକ ପୁଲିସ ଉପରକୁ ଟେକାମାଡ଼ କରିଥିଲେ। ପରେ ସେମାନଙ୍କୁ ବୁଝାସୁଝା ପରେ ସ୍ଥିତି ନିୟନ୍ତ୍ରଣାଧୀନ ରହିଥିଲା।