ଭୁବନେଶ୍ୱର,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲାର କଣ୍ଟାବାଞ୍ଜୀ ଷ୍ଟେସନରେ ପୁଣିଥରେ ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍ରେ ଚେନ୍ ପୁଲିଂ କରି ୩୦୦ରୁ ଊର୍ଦ୍ଧ୍ୱ ପ୍ରବାସୀ ଓହ୍ଲାଇଛନ୍ତି। ବରଗଡ଼ ଓ ନୂଆପଡ଼ା ଜିଲ୍ଲାର ପ୍ରବାସୀମାନେ ଟ୍ରେନ ଚେନ୍ ପୁଲିଂ କରି ଖସିଯାଇଛନ୍ତି। ଗୁଜୁରାଟର ଗାନ୍ଧିଧାମରୁ ବାହାରିଥିବା ଟ୍ରେନ କଟକ ଜିଲ୍ଲାର ନିର୍ଗୁଣ୍ଡି ଅଭିମୁଖେ ଆସୁଥିଲା। କିନ୍ତୁ ବରଗଡ଼ ଓ ନୂଆପଡ଼ା ଜିଲ୍ଲାର ପ୍ରବାସୀମାନେ ନିର୍ଗୁଣ୍ଡି ଠାରୁ ଘରକୁ ଫେରିବାରେ ଖର୍ଚ୍ଚାନ୍ତ ହେବା ସହ ହଇରାଣ ହେବାର ଆଶଙ୍କାକୁ ଦୃଷ୍ଟିରେ ରଖି ଟ୍ରେନର ଚେନ୍ ପୁଲିଂ କରିଥିଲେ।
ସୂଚନାଯୋଗ୍ୟ, ଓଡ଼ିଶାରେ ଟ୍ରେନ୍ ଚେନ୍ ପୁଲିଂ କରି ପ୍ରବାସୀମାନେ ଖସିଯିବା ନୂଆ କଥା ନୁହେଁ। କାରଣ ରବିବାର ମଧ୍ୟ ଏଭଳି କାମ ହୋଇଥିଲା। ଆନ୍ଧ୍ରପ୍ରଦେଶରୁ ଭଦ୍ରକ ଅଭିମୁଖେ ଯାଉଥିବା ଶ୍ରମିକ ସ୍ୱତନ୍ତ୍ର ଟ୍ରେନର ଚେନ୍କୁ ଗଂଜାମ ଜିଲ୍ଲାରେ ଅଟକାଯାଇଥିଲା। ଏହି ଟ୍ରେନ ପାଇଁ ଖୋର୍ଦ୍ଧାରେ ଷ୍ଟପେଜ ଥିଲା। କିନ୍ତୁ ଗଂଜାମ ଜିଲ୍ଲାର ଶତାଧିକ ପ୍ରବାସୀ ଚିଳିକା ଷ୍ଟେସନ ନିକଟରେ ଚେନ୍ପୁଲିଂ କରି ଖସିଯାଇଥିଲେ। ପରେ ପୁଲିସ ପ୍ରାୟ ୭୦ ଜଣଙ୍କୁ ଧରି କ୍ୱାରେଣ୍ଟାଇନ ସେଣ୍ଟରକୁ ନେଇଥିଲା।
ତେବେ ଓଡ଼ିଶାରେ ବାରମ୍ବାର ଟ୍ରେନ ଚେନ ପୁଲିଂ କରାଯିବାର କାରଣ ହେଲା, ଯାତ୍ରୀମାନେ ଯେଉଁ ସ୍ଥାନକୁ ଯିବାକୁ ଚାହୁଁଛନ୍ତି, ତାଙ୍କର ସୁବିଧା ଅନୁସାରେ ଓହ୍ଲାଇବାକୁ ସୁଯୋଗ ଦିଆଯାଉନାହିଁ। ହଇରାଣ ଓ ଖର୍ଚ୍ଚାନ୍ତରୁ ବର୍ତ୍ତିବା ପାଇଁ ଯାତ୍ରୀମାନେ ଏଭଳି କାମ କରୁଥିବା ଅଭିଯୋଗ ହେଉଛି। ଅନ୍ୟପଟରେ ପକ୍ଷରେ କୁହାଯାଇଛି ଯେ, କିଛି ପ୍ରବାସୀମାନେ ସଂଗରୋଧ କେନ୍ଦ୍ରରେ ରହିବାକୁ ଚାହୁଁ ନାହାନ୍ତି।