ପ୍ରବାସୀ ଓଡ଼ିଆ ସମ୍ପର୍କୀୟଙ୍କ ମାଡ଼ରେ ଶିକ୍ଷକ ଗୁରୁତର

ଖଇରା,ଏନ୍ଏନ୍ଏସ୍: ଖଇରା ବ୍ଲକ ଝିଙ୍କିରିଆ ପଞ୍ଚାୟତ ତୋଟାପଡାରେ ହୋଇଥିବା ସଙ୍ଗରୋଧ କେନ୍ଦ୍ରରେ ରହିଥିବା ପ୍ରବାସି ଓଡ଼ିଆର ବାଇକକୁ ତାଙ୍କ ସମ୍ପର୍କୀୟଙ୍କୁ ନଦେବାରୁ ଉକ୍ତ କେନ୍ଦ୍ର ଦାଇତ୍ଵରେ ଥିବା ଜଣେ ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଜଣାପଡିଛି। ସେଠାରୁ ଗୁରୁତର ଅବସ୍ଥାରେ ଶିକ୍ଷକ ଧରଣୀଧର ପରିଡାଙ୍କୁ ପ୍ରଥମେ ଭଦ୍ରକ ଓ ପରେ କଟକ ସ୍ଥାନାନ୍ତରିତ କରାଯାଇଛି। ଘଟଣାରୁ ପ୍ରକାଶ ଯେ ୨ ଦିନ ତଳେ ବାହାର ରାଜ୍ୟରୁ ଜଣେ ପ୍ରବାସୀ ଓଡ଼ିଆ ବସ ଯୋଗେ ନିଜ ଗ୍ରାମକୁ ଫେରିଥିଲେ।

ମାର୍କୋଣାରେ ପହଞ୍ଚିବା ପରେ ସେଠାରୁ ଆସିବା ପାଇଁ ତାଙ୍କର ସମ୍ପର୍କୀୟ ଏକ ବାଇକ ନେଇ ସେଠାରେ ପହଞ୍ଚିବା ପରେ ଉକ୍ତ ବାଇକକୁ ନେଇ ପ୍ରବାସୀ ଜଣଙ୍କ ତୋଟାପଡା ସଂଗରୋଧ କେନ୍ଦ୍ରରେ ଆସି ରହିଥିଲେ। ପରେ ତାଙ୍କର ସମ୍ପର୍କୀୟ ସେ ବାଇକକୁ ଆଣିବାକୁ ସେହି କେନ୍ଦ୍ରକୁ ଯାଇଥିଲେ। ହେଲେ କେନ୍ଦ୍ର ଦାଇତ୍ଵରେ ଥିବା ଖେଳ ଶିକ୍ଷକ ଧରଣୀଧର ପରିଡ଼ା ସେ ବାଇକ ସାନିଟାଇଜ ହୋଇନାହିଁ ତମେ ପରେ ଆସି ନେଇଯିବ ବୋଲି କହିଥିଲେ। ଗେଟରେ ତାଲା ପଡ଼ିଥିବାରୁ ବାଇକ ନେବାକୁ ଆସିଥିବା ସମ୍ପର୍କୀୟ ଗେଟର ତାଲା ଖୋଲିବାକୁ କହିଥିଲେ। ଶିକ୍ଷକ ଜଣଙ୍କ ଗେଟର ତାଲା ନ ଖୋଲିବାରୁ ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତି ତର୍କ ହୋଇଥିଲା। ପରେ ସ୍ଥାନୀୟ ସରପଞ୍ଚଙ୍କ ଉପସ୍ଥିତରେ ଘଟଣାର ସମାଧାନ ମଧ୍ୟ କରାଯାଇଥିଲା।

ହେଲେ ଆଜି ଶିକ୍ଷକ ଜଣଙ୍କ ବାଇକ ଯୋଗେ ସେହି କେନ୍ଦ୍ରକୁ ଆସୁଥିବା ବେଳେ ପୂର୍ବରୁ ଝଗଡ଼ା କରିଥିବା ଯୁବକ ଜଣଙ୍କ ଶିକ୍ଷକଙ୍କ ଗାଡି ଆଟକାଇ ତାଙ୍କୁ ମରଣାତ୍ମକ ଆକ୍ରମଣ କରିଥିଲେ। ଫଳରେ ତାଙ୍କୁ ଗୁରୁତର ଅବସ୍ଥାରେ ସରପଞ୍ଚ ମଧୁସୂଦନ ମାଝୀ ଏକ ଗାଡ଼ିରେ ପ୍ରଥମେ ଭଦ୍ରକ ମେଡ଼ିକାଲକୁ ଆଣିଥିଲେ। ହେଲେ ସେଠାରେ ତାଙ୍କର ଅବସ୍ଥାରେ ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି। ଏ ସମ୍ପର୍କରେ ସ୍ଥାନୀୟ ସରପଞ୍ଚ ମଧୁସୂଦନ ମାଝୀଙ୍କୁ ଯୋଗାଯୋଗ କରିବାରେ ପୂର୍ବରୁ ହୋଇଥିବା ଘଟଣାର ମୁଁ ସମାଧାନ କରିଦେଇଥିଲି, ଆଜି ଶିକ୍ଷକଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣା ବିଷୟରେ ମୁଁ ପୁଲିସ ଏବଂ ବିଡିଓଙ୍କୁ ଅବଗତ କରାଇଛି ବୋଲି ପ୍ରକାଶ କରିଛନ୍ତି।