ଦେବଗଡ଼,ଏନ୍ଏନ୍ଏସ୍: ଲକଡାଉନ ସମୟରେ ମଧ୍ୟ ବେଆଇନ ମଦ ଚାଲାଣ ହେଉଥିବା ସମୟରେ ବାରକୋଟ ଥାନା ପୁଲିସ ହାତରେ ୪ ଜଣ ଚୋରା ମଦ ବେପାରୀ ଧରାପଡିଥିବା ବେଳେ ଖଇରପାଲି ଫାଣ୍ଡି ପୁଲିସ ଜଣେ ବ୍ୟକ୍ତିକୁ ଗିରଫ କରିଥିବା ଜଣାପଡିଛି। ପୁଲିସ ସୂଚନା ଅନୁସାରେ ଗତକାଲି ରାତ୍ରି ପ୍ରାୟ ୯ଟା ସମୟରେ ବାରକୋଟ ଥାନା ଅଧିକାରୀ ରାଜେନ୍ଦ୍ର କୁମାର ମହାପାତ୍ର କର୍ମଚାରୀଙ୍କ ସହ ପାଟ୍ରୋଲିଂ କରୁଥିବା ବେଳେ ବୁଢାଖମଣରୁ କତ୍ରାପାଲି ପଟକୁ ବେଆଇନ ଦେଶୀ ରନ୍ଧା ମଦ ନେଇଯାଉଥିବା ବେଳେ ୪ ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ବୁଢାଖମଣ ଗ୍ରାମର ଡିଲେଶ୍ୱର ନାଏକ, କୁଞ୍ଜ ବିହାରୀ ନାଏକ, ଦୁଷ୍ମନ୍ତ ନାଏକ ଓ ହରିହର ନାଏକ। ଏଥିସହ ସେମାନଙ୍କ ନିକଟରୁ ବିପୁଳ ପରିମାଣରେ ଦେଶୀ ରନ୍ଧା ମଦ ଜବତ ହୋଇଛି।
ସେହିପରି କୁଣ୍ଢେଇଗୋଳା ଥାନା ଖଇରପାଲି ଫାଣ୍ଡି ପୁଲିସ ନୂଆଡିହି ଶଙ୍କର ପୁର ଗ୍ରାମର ନିରଞ୍ଜନ ପେରେଇ ନିଜ ଘରେ ବେଆଇନ ଦେଶୀ ମଦ କାରବାର କରୁଥିବା ସୂଚନା ପାଇ ଖଇରପାଲି ଫାଣ୍ଡି ଅଧିକାରୀ ବିଜୟ କୁମାର ଦେହୁରୀ ସଦବଳେ ନିରଞ୍ଜନଙ୍କ ଘରେ ଚଢଉ କରି ଦେଶୀ ରନ୍ଧା ମଦ ଜବତ କରିବା ସହ ନିରଞ୍ଜନକୁ ଗିରଫ କରିଥିଲେ। ପ୍ରତ୍ୟେକ ଦିନ ଜିଲ୍ଲା ପୁଲିସ ଓ ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢଉ ଜାରି ରହିଥିଲେ ମଧ୍ୟ ଜିଲ୍ଲାରୁ ବେଆଇନ ମଦ କାରବାର ବନ୍ଦ ହେବାର ନାଁ ଧରୁ ନଥିବା ଦେଖିବାକୁ ମିଳୁଛି।