ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଥାନା ଅନ୍ତର୍ଗତ ଘୁଣ୍ଟୁଲିପଶି ଗ୍ରାମରେ ଆଜି ରାତ୍ରି ପ୍ରାୟ ୮ଟା ସମୟରେ ସାମନ୍ୟ କଥାକୁ ନେଇ ଖଟପୁଆ ମାଡ଼ରେ ଜଣେ ବ୍ୟକ୍ତିର ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ଘୁଣ୍ଟୁଲିପଶି ଗ୍ରାମର ପାନୀୟ ଜଳଯୋଗାଣ ପମ୍ପ ଚାଳକ ମଙ୍ଗୁଳୁ ମହାନନ୍ଦ(୫୩)ନିଜ ପୁଅ ବିନୋଦ ମହାନଦ(୨୬) ଓ ଅନ୍ୟ କେତେକ ଗ୍ରାମବାସୀଙ୍କ ସହ ଗାଁ’ଛକରେ ତାସ ଖେଳୁଥିବା ବେଳେ ସେହି ଗ୍ରାମର ପାଣୁ ଧୀବର (୫୦) ନିଶାଶକ୍ତ ଅବସ୍ଥାରେ ସେଠାରେ ପହଞ୍ଚି ସେମାନଙ୍କୁ ଗାଳି ଗୁଲଜ କରିଥିଲା।
ଏହାକୁ ବିନୋଦ ପ୍ରତିବାଦ କରିବାରୁ ପାଣୁ ବିନୋଦ ଉପରେ ଆକ୍ରମଣ ପାଇଁ ଉଦ୍ୟତ ହୋଇଥିଲା। ଏହା ଦେଖି ପାଖରେ ଥିବା ବିନୋଦର ବାପା ମଙ୍ଗୁଳୁ ପାଖରେ ଥିବା ଏକ ଖଟପୁଆ ସାହାଯ୍ୟରେ ପାଣୁ ଉପରେ ଆକ୍ରମଣ କରିଥିଲା। ଖଟପୁଆଟି ପାଣୁର ବାମ ପଟ କାନମୂଳରେ ବାଜିବାରୁ ଘଟଣାସ୍ଥଳରେ ପାଣୁର ମୃତ୍ୟୁ ହୋଇଛି। ଏହା ଦେଖି ଗ୍ରାମବାସୀମାନେ ସ୍ଥାନୀୟ ସରପଞ୍ଚଙ୍କୁ ସୂଚନା ଦେବା ସହ ଗ୍ରାମବାସୀମାନେ ଘଟଣାସ୍ଥଳରେ ରୁଣ୍ଡ ହୋଇଥିଲେ। ସରପଞ୍ଚଙ୍କ ଠାରୁ ସୂଚନାପାଇ ଦେବଗଡ଼ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହ ଜବତ କରିବା ସହ ଉଭୟ ବାପ-ପୁଅଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି। ଆସନ୍ତା କାଲି ମୃତ ଦେହ ବ୍ୟବଚ୍ଛେଦ ହେବ ବୋଲି ଦେବଗଡ଼ ଥାନା ପୁଲିସ ପକ୍ଷରୁ ସୂଚନା ମିଳିଛି। ଖବର ଲେଖା ହେବା ପର୍ଯ୍ୟନ୍ତ ଘଟଣାସ୍ଥଳରେ ପୁଲିସ ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି।