ନୟାଗଡ଼,ଏନ୍ଏନ୍ଏସ୍: ନୟାଗଡ଼ ଜିଲ୍ଲା ପୁଲିସ ଏବେ ବ୍ରିଟିସ୍ ରାଜ ଚଳାଇଛି। ଲକ୍ଡାଉନ୍କୁ ଆଳ କରି ପୁଲିସ ଅନେକ ଲୋକଙ୍କୁ ମାଡ଼ ମାରି ଲହୁଲୁହାଣ କରିଥିବା ବେଳେ ଏବେ ଜଣେ ଦମ୍ପତ୍ତିଙ୍କୁ ଏଫ୍ଆଇଆର କପି ମାଗିବାକୁ ନେଇ ଗାଳି କରାଯିବା ସହ ତାଙ୍କ ପୁଅକୁ ମିଥ୍ୟା ମାମଲାରେ ଫସାଇବାକୁ ଧମକ ଦିଆଯାଇଛି। ସୂଚନା ଅନୁସାରେ, ଚଳିତ ମାସ ୧ ତାରିଖ ସନ୍ଧ୍ୟାରେ ଚାନ୍ଦପୁର ଥାନା ଚାନ୍ଦପୁରର ବାବନ ଗୁରୁ ବାହାରକୁ ପରିଶ୍ରା କରିବାକୁ ଯାଇଥିବା ବେଳେ ପାଟ୍ରୋଲିଂ କରୁଥିବା ପୁଲିସ ତାଙ୍କୁ ମାଡ଼ ମାରି ଲହୁଲୁହାଣ କରିଥିଲା।
ପୁଲିସ ମାଡ଼ରେ ବାବନଙ୍କ ହାତ ଭାଙ୍ଗି ଯାଇଥିବା ବେଳେ ଏହା ଗଣମାଧ୍ୟମରେ ପ୍ରଚାରିତ ହେବା ପରେ ପୁଲିସ ତାଙ୍କୁ ନେଇ ୫ ଶହ ଟଙ୍କା ଦେଇ ଦେଶୀ ଚିକିତ୍ସା କରାଇଥିଲେ। ଏନେଇ ବାବନ ଚିକିତ୍ସା ପରେ ୯ ତାରିଖରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଫଳରେ ଥାନା ଅଧିକାରୀ ତାଙ୍କୁ ୪ ହଜାର ଟଙ୍କା ଦେଇ ମାମଲା ରଫାଦଫା କରିବାକୁ ଚାପ ପକାଇଥିଲେ।
ବାବନ ଏହାକୁ ଅଶ୍ୱିକାର କରି ଥାନାରୁ ଫେରି ଆସିଥିବା ବେଳେ ଆଜି ବାବନ ତାଙ୍କ ପତ୍ନୀ ନିବାସୀ ଗୁରୁ ଓ ପୁଅ ଥାନାକୁ ଯାଇ ଏତଲା କପି ମାଗିଥିଲେ। ଯାହାକୁ ନେଇ ଚାନ୍ଦପୁର ଥାନା ପୁଲିସ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହ ତାଙ୍କ ପୁଅକୁ ମିଥ୍ୟା ମାମଲାରେ ଫସାଇବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି। ଏନେଇ ଉଭୟ ଦମ୍ପତ୍ତି ଆଜି ନୟାଗଡ଼ ଆରକ୍ଷୀ ଅଧିକ୍ଷକଙ୍କ ଦ୍ୱାରସ୍ଥ ହୋଇ ନ୍ୟାୟ ଦାବି କରିଥିବା ଜଣାଯାଇଛି ।