ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲାରେ ୨୪ ଘଣ୍ଟା ମଧ୍ୟରେ ୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ମଙ୍ଗଳବଜାର ଅଂଚଳର ଭାଇ(୫), ଭଉଣୀ(୧) ଓ ବ୍ରଜରାଜନଗର ଅଂଚଳର ଜଣେ ବ୍ୟକ୍ତି (୪୦) ରହିଥିବା ଜଣାପଡ଼ିଛି। ଗତକାଲି ସଂଧ୍ୟାରେ ମଙ୍ଗଳବଜାର ଅଂଚଳର ଜଣେ ୫ ବର୍ଷର ଶିଶୁ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଆଜି ସକାଳେ ତାଙ୍କର ୧ ବର୍ଷର ଭଉଣୀ ମଧ୍ୟ ଏଥିରେ ଆକ୍ରାନ୍ତ ହୋଇଛନ୍ତି। ଛୋଟ ଶିଶୁ ହୋଇଥିବାରୁ ଦୁହିଁଙ୍କୁ ହୋମ କ୍ୱାରେଣ୍ଟାଇନରେ ରଖି ଚିକିତ୍ସା ପ୍ରଦାନ କରାଯାଉଛି। ଅନ୍ୟପଟେ ବ୍ରଜରାଜନଗରରେ ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କୁ ରାଉରକେଲାସ୍ଥିତ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ତେବେ ଝାରସୁଗୁଡ଼ାରେ ଚିହ୍ନଟ ହୋଇଥିବା ଏହି ୧ ବର୍ଷୀୟ ଆକ୍ରାନ୍ତ ରାଜ୍ୟର ସର୍ବକନିଷ୍ଠ କୋରନା ସଂକ୍ରମିତ ।
ସୂଚନାଯୋଗ୍ୟ ଯେ, ସମସ୍ତ କରୋନା ସଂକ୍ରମିତଙ୍କ କଣ୍ଟାକ୍ଟ ଟ୍ରେସିଂ ଓ ଟ୍ରାଭେଲ ହିଷ୍ଟ୍ରି ଜିଲ୍ଲା ପ୍ରଶାସନ ପକ୍ଷରୁ ସଂଗ୍ରହ କରାଯାଉଛି। ପ୍ରାଥମିକ ପର୍ଯ୍ୟାୟର ତଦନ୍ତରେ ମଙ୍ଗଳବଜାରରେ ଚିହ୍ନଟ ହୋଇଥିବା କରୋନା ସଂକ୍ରମିତ ଗତ ୧୬ ତାରିଖରେ ସପରିବାର ଆଗ୍ରାରୁ ଝାରସୁଗୁଡ଼ାକୁ ଫେରିଥିବା ଜଣାପଡ଼ଛି। ସେମାନେ ଆଗ୍ରାରୁ ଫେରିବା ପରେ ସମସ୍ତଙ୍କୁ ହୋମ କ୍ୱାରେଣ୍ଟାଇନରେ ରଖାଯାଇ ସ୍ୱାବ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଥିଲା। ସେହିପରି ବ୍ରଜରାଜନଗର ହିଲଟପ ଅଂଚଳରେ ଚିହ୍ନଟ ହୋଇଥିବା କରୋନା ସଂକ୍ରମିତ ଜଣକ ମହାରାଷ୍ଟ୍ରରୁ ଫେରି ଇନଷ୍ଟିଚ୍ୟୁସନାଲ କ୍ୱାରେଣ୍ଟାଇନ ସେଣ୍ଟରରେ ଥିଲେ। ଏହି ୩ ନୂଆ କରୋନା ରୋଗୀ ଚିହ୍ନଟ ହେବାପରେ ଜିଲ୍ଲାପାଳ ସରୋଜ କୁମାର ସାମଲ ଝାରସୁଗୁଡ଼ା ଓ ବ୍ରଜରାଜନଗରର କିଛି ନିର୍ଦ୍ଦିଷ୍ଟ ଅଂଚଳକୁ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରିଛନ୍ତି।