ନୂଆପଡ଼ା,ଏନ୍ଏନ୍ଏସ୍: ଲକଡାଉନ ମଧ୍ୟରେ ବିଭିନ୍ନ ରାଜ୍ୟରେ ଫସି ରହିଥିବା ପ୍ରବାସୀ ଶ୍ରମିକଙ୍କୁ ରାଜ୍ୟକୁ ଫେରାଇ ଆଣିବା ପାଇଁ ସରକାର ପଞ୍ଜିକରଣ ନିର୍ଦ୍ଦେର୍ଶ ଦେଇଥିଲେ। ଏହି କ୍ରମରେ ନୂଆପଡ଼ା ଜିଲ୍ଲାକୁ ଫେରିବା ପାଇଁ ୭୦ ହଜାର ୪୦ଜଣ ପ୍ରବାସୀ ଶ୍ରମିକ ପଞ୍ଜିିକୃତ କରିଛନ୍ତି।
ଜିଲ୍ଲା ଶ୍ରମ ବିଭାଗର ମୁତାବକ, ପ୍ରତିବର୍ଷ ଜିଲ୍ଲାର ୧୦ରୁ ୧୨ ହଜାର ଶ୍ରମିକ କାମ ପାଇଁ ଜିଲ୍ଲା ବାହାରକୁ ଯାଉଥିବା ତଥ୍ୟ ଦେଇଥାନ୍ତି । କିନ୍ତୁ ବର୍ତ୍ତମାନ କରୋନା ଏହି ସବୁ ଆକଳନ ତଥ୍ୟକୁ ଭୁଲ ପ୍ରମାଣିତ କରିଛି। ମିଳିଥିବା ରିପୋର୍ଟ ମୁତାବକ ଜିଲ୍ଲାକୁ ଫେରିବା ପାଇଁ ମୋଟ ୭୦ହଜାର ୪୦ଜଣ ଶ୍ରମିକ ପଞ୍ଜିକୃତ କରିଛନ୍ତି। ସେଥିମଧ୍ୟରୁ ବୋଡ଼େନ ବ୍ଲକରୁ ୧୦ହଜାର ୭୨୦ ଜଣ, ଖଡିଆଳରୁ ୧୦ହଜାର ୩୦୭ ଜଣ, କୋମନାରୁ ୧୭ହଜାର ୯୫୭ ଜଣ, ନୂଆପଡ଼ାରୁ ୧୭ହଜାର ୭୦୦ ଜଣ, ସିନାପାଲିରୁ ୧୨ହଜାର ୬୬ ଜଣ, ଖରିଆରରୋଡ ଏନଏସସିରେ ୪୯୩ ଜଣ, ଖଡ଼ିଆଳ ଏନଏସିରେ ୨୨୩ ଜଣ, ନୂଆପଡ଼ା ଏନ୍ଏସସିରେ ୫୭୪ଜଣ ଜିଲ୍ଲାକୁ ଫେରିବା ପାଇଁ ପଞ୍ଜିକୃତ କରିଛନ୍ତି। ଏଥି ସହିତ ମେ’ ୨୨ ସୁଦ୍ଧା ଜିଲ୍ଲାକୁ ୧୦ହଜାର ୨୮ ଜଣ ପ୍ରବାସୀ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଯେଉଁଥିରୁ ରାଜ୍ୟ ବାହାରୁ ୬ହଜାର ୧୦୦ ଜଣ ଓ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୩୯୨୮ ଜଣ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏହିସବୁ ପ୍ରବାସୀଙ୍କୁ ସଂଗରୋଧରେ ରଖିବା ପାଇଁ ନୂଆପଡ଼ା ଜିଲ୍ଲାର ୧୩୧ଟି ପଂଚାୟତରେ ୩୬ ହଜାର ୫୫୪ ଶଯ୍ୟା ପ୍ରସ୍ତୁତ କରାଯାଇଥିବା ବେଳେ ୩ଟି ଏନଏସିର ୨୫ଟି ଅସ୍ଥାୟୀ ମେଡିକାଲ ସେଣ୍ଟରରେ ୧ହଜାର ୨୦୨ ଶଯ୍ୟା ପ୍ରସ୍ତୁତ କରାଯାଇଛି। ବର୍ତ୍ତମାନ ସୁଦ୍ଧା ଜିଲ୍ଲାର ୨୨୨ ଟି ଅସ୍ଥାୟୀ ମେଡିକାଲ ସେଣ୍ଟରରେ ୮୨୩୬ ଜଣଙ୍କୁ ସଂଗରୋଧରେ ରଖାଯାଇଥିବାବେଳେ ୧୭୬ ଜଣଙ୍କୁ ସଂଗରୋଧ ଅବଧୀ ସରିଯିବାରୁ ଛାଡ଼ି ଦିଆଯାଇଛି।
ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ସୁଦ୍ଧା ଜିଲ୍ଲାରୁ ୯୯୮ ଜଣଙ୍କ ରକ୍ତ ନମୁନା ପରୀକ୍ଷଣ ପାଇଁ ପଠାଯାଇଥିବା ବେଳେ ୩୨୧ ଟି ନମୁନା ନେଗେଟିଭ ଆସିଛି ଅବଶିଷ୍ଟ ୬୭୭ ଟି ନମୁନା ପରିକ୍ଷଣର ରିପୋର୍ଟ ଏଯାବତ ହସ୍ତଗତ ହୋଇନାହିଁ। ଜିଲ୍ଲାପାଳ ମଧୁସ୍ମିତା ସାହୁ ନିଜେ ବ୍ୟକ୍ତିଗତ ଭାବରେ ଜିଲ୍ଲାର ପ୍ରାୟ ସବୁ ଅସ୍ଥାୟୀ ମେଡିକାଲ ସେଣ୍ଟର ବୁଲି ଭିତ୍ତିଭୂମି ତଦାରଖ କରିବା ସହ ଜିଲ୍ଲାର ୫ଟି ଯାକ ବ୍ଲକ ପାଇଁ ୫ଜଣ ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ନୋଡାଲ ଅଧିକାରୀ ଭାବରେ ନିଯୁକ୍ତ କରିଛନ୍ତି।