ରାଜ୍ୟରେ କାଲିଠୁ ଅନଲାଇନରେ ମିଳିବ ମଦ ରାଜ୍ୟ By Nitidin Last updated May 23, 2020 Share ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆସନ୍ତାକାଲିଠୁ ଅନଲାଇନରେ ମଦ ମିଳିବ। ଏନେଇ ରାଜ୍ୟ ସରକାର ଅନୁମତି ପ୍ରଦାନ କରିଛନ୍ତି। ଲାଇସେନ୍ସପ୍ରାପ୍ତ ଦୋକାନୀ ଅନ୍ ଓ ଅଫ୍ରେ ହୋମ ଡେଲିଭରି ଦେବେ। କଣ୍ଟେନମେଣ୍ଟ ଜୋନ୍ ଛାଡ଼ିଦେଲେ ଅନ୍ୟ ସବୁ ଅନ୍ ଓ ଅଫ୍ ଲାଇସେନ୍ସପ୍ରାପ୍ତ ମଦ ଦୋକାନୀ ହୋମ୍ ଡେଲିଭରି ଦେବେ । ମଦ ଦୋକାନ ଆଗରେ ଏକ ଡିସପ୍ଲେ ରହିବ ଯେଉଁଥିଲେ ସଂପୃକ୍ତ କାଉଣ୍ଟରର ଫୋନ୍ ନମ୍ବର, ହ୍ୱାଟସ ଆପ ନମ୍ବର, ଇ-ମେଲ୍ ଆଇଡି, ୟୁପିଆଇ ତଥ୍ୟ ରହିବ । ମୋବାଇଲ୍, ହ୍ୱାଟସ୍ ଆପ୍, ଏସଏମଏସ୍ ଆଦି ଜରିଆରେ ଗ୍ରାହକ ନିଜର ଠିକଣା ସହ ଜିନିଷ ଅର୍ଡର ଦେବେ । ଏହାସହ ରାଜ୍ୟରେ ହୋମ ଡେଲିଭରି ସେବା ପ୍ରଦାନ କରୁଥିବା ସଂସ୍ଥା ଓ ଖାଦ୍ୟ ହୋମ୍ ଡେଲିଭରି ସେବା କରୁଥିବା ସଂସ୍ଥା ଦ୍ବାରା କିମ୍ବା ନିଜେ ମଦଦୋକାନୀ ପିଲା ରଖି ମଦର ହୋମ୍ ଡେଲିଭରି କରିପାରିବେ । ଓଏସବିସି ୱେସାଇଟ (osbc.co.in) ରେ ଜିଲ୍ଲାୱାରୀ ତଥ୍ୟ ରହିବ ସହିତ ମଦର ମୂଲ୍ୟ ମଧ୍ୟ ରହିବ । ତେଣୁ ଗରାଖ ଠକାମୀରେ ପଡ଼ିବେ ନାହିଁ। ହୋମ୍ ସର୍ଭିସ୍ ଖର୍ଚ୍ଚ ଗରାଖଙ୍କୁ ଦେବାକୁ ପଡ଼ିବ । ୧ ହଜାର ପର୍ଯ୍ୟନ୍ତ ମଦ ଅର୍ଡର କଲେ ଡେଲିଭରି ଚାର୍ଜ ପଡ଼ିବ ୧୦୦ ଟଙ୍କା । ତାପରେ ପ୍ରତି ୫୦୦ ଟଙ୍କାର ଅତିରିକ୍ତ ଅର୍ଡର ପାଇଁ ୨୫ ଟଙ୍କା ଦେବାକୁ ପଡ଼ିବ । ହୋମ ଡେଲିଭରି ଚାର୍ଜ ୩୦୦ ଟଙ୍କାରୁ ଅଧିକ ହୋଇପାରିବନି । ସକାଳ ୭ଟାରୁ ସଂଧ୍ୟା ୬ଟା ମଧ୍ୟରେ ହୋମ୍ ଡେଲିଭରି ହେବ । ଡେଲିଭରି ବୟ କୋଭିଡ୍ ଗାଇଡଲାଇନ୍ ଭିତରେ କାମ କରିବେ । ହୋମ ଡେଲିଭରି କରିଥିବା ବ୍ୟକ୍ତି ସମ୍ପୃକ୍ତ ସଂସ୍ଥା କିମ୍ବା ରିଲେଟଲରମାନଙ୍କ ଦ୍ବାରା ପ୍ରଦତ୍ତ ଆଇ କାର୍ଡ ଧାରଣ କରିବେ। ୬ ଫୁଟ୍ ଦୂରତ୍ୱ ଏବଂ ମୁହଁରେ ମାସ୍କ ପିନ୍ଧିବା ବାଧ୍ୟତା ମୂଳକ । ଗ୍ରାହକଙ୍କୁ ପ୍ରଦାନ କରାଯିବାକୁ ଥିବା ରସିଦରେ ତାଙ୍କର ନାମ, ଠିକଣା ସହିତ ମଦର ପରିମାଣ, ମଦର ଏମଆରପି ଏବଂ ଡେଲିଭରି ଚାର୍ଜ ସମ୍ବନ୍ଧିତ ସମ୍ପୂର୍ଣ୍ଣ ତଥ୍ୟ ଉଲ୍ଲେଖ କରାଯିବ। ଗ୍ରାହକ ନଗଦ ଟଙ୍କା ଦେଇପାରିବେ । ଡିଜିଟାଲ ପେମେଣ୍ଟ ମଧ୍ୟ ଉପଲବ୍ଧ ରହିବ। ରିଟେଲରମାନେ ବିଜ୍ଞାପନ ସମ୍ପର୍କିତ ପଲିସି ଅନୁସାରେ କାର୍ଯ୍ୟ କରିବେ। ତେବେ ରିଟେଲର ଓ ଡେଲିଭରି ସେବା ପ୍ରଦାନକାରୀ ସଂସ୍ଥା ପ୍ରତିଦିନ ବିକ୍ରୟ ହୋଇଥିବା ମଦର ପରିମାଣ ଏବଂ ଏହି ସମ୍ପର୍କିତ ସମସ୍ତ ତଥ୍ୟ ସରକାରଙ୍କୁ ପ୍ରଦାନ କରିବେ। ମଦର ଅନଲାଇନ ବିକ୍ରି ଗ୍ରାହକ ଓ ବିକ୍ରେତାଙ୍କ ସହମତି ଆଧାରରେ ହେବ। ଏଥିରେ କୌଣସି ବିବାଦ ପାଇଁ ରାଜ୍ୟ ସରକାର ଦାୟି ରହିବେ ନାହିଁ ବୋଲି ନିର୍ଦ୍ଦେଶନାମାରେ ବିଭାଗ ପକ୍ଷରୁ ସ୍ପଷ୍ଟ ସୂଚନା ଦିଆଯାଇଛି। ସୂଚନାଅନୁଯାୟୀ, କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଗତ ମାର୍ଚ୍ଚ ୨୪ ତାରିଖରୁ ସବୁ ମଦ ଦୋକାନ ବନ୍ଦ ରହିଛି। ତେବେ ମେ ମାସ ୩୧ ତାରିଖ ଠାରୁ କେନ୍ଦ୍ର ସରକାର ମଦ ଦୋକାନ ଖୋଲିବା ନେଇ କଟକଣା କୋହଳ କରିବା ପରେ ରାଜ୍ୟ ସରକାର ବିଚାର ବିମର୍ଶ କରି ଏହି ନିଷ୍ପତ୍ତି ନେଇଛନ୍ତି। Share