କୋଭିଡ୍ ହସପିଟାଲରେ ଶିଶୁ ପୁତ୍ର ଜନ୍ମଦେଲେ ମହିଳା

ବ୍ରହ୍ମପୁର,ଏନ୍ଏନ୍ଏସ୍ : ଗଞ୍ଜାମ ଜିଲ୍ଲାରେ ଶୀତଳାପଲ୍ଲି କୋଭିଡ୍ ହସପିଟାଲରେ ଆଜି ଜଣେ ଗର୍ଭବତୀ ମହିଳା ଏକ ଶିଶୁପୁତ୍ର ଜନ୍ମ ଦେଇଛନ୍ତି। ସଫଳ ଅସ୍ତ୍ରୋପଚାର ଦ୍ୱାରା ଶିଶୁପୁତ୍ର ଜନ୍ମ ହୋଇଥିବା ସୂଚନା ମିଳିଛି। ଉକ୍ତ ହସପିଟାଲରେ ବର୍ତ୍ତମାନ ସୁଦ୍ଧା ୫ଜଣ ଗର୍ଭବତୀ ମହିଳା ରହିଥିବା ବେଳେ ଆଜି ଉକ୍ତ ମହିଳାଙ୍କ ଶିଶୁପୁତ୍ର ଜନ୍ମ ହୋଇଛି। ପୂର୍ବରୁ ଏଠାରେ ଗର୍ଭବତୀ ମହିଳାଙ୍କ ପାଇଁ ଓଟି ନଥିଲା। କିନ୍ତୁ ଗର୍ଭବତୀଙ୍କ ସଂଖ୍ୟା ବଢିବା ପରେ ବ୍ରହ୍ମପୁର ନ ଆଣି ସେମାନଙ୍କୁ ସେଠାରେ ହିଁ ଅସ୍ତ୍ରୋପଚାର କରିବା ପାଇଁ ନିଷ୍ପତ୍ତି ହୋଇଥିଲା। ଜିଲ୍ଲାର ବିଭିନ୍ନ ସରକାରୀ କ୍ୱାରେଣ୍ଟାଇନ୍ ହୋମରେ ଶହେରୁ ଉଦ୍ଧ୍ୱର୍ ଗର୍ଭବତୀ ମହିଳା ରହିଛନ୍ତି। ସେମାନଙ୍କର ସ୍ୱାବ ପରୀକ୍ଷା ହେବା ପରେ ସେମାନଙ୍କୁ କେଉଁଠି ରଖାଯିବ ସେ ନେଇ ପ୍ରଶାସନ ଚିନ୍ତା କରୁଥିବା କୁହାଯାଉଛି।

ସୂଚନାଯୋଗ୍ୟ, ରାଜ୍ୟରେ ଗଞ୍ଜାମ ଜିଲ୍ଲା କରୋନା ରୋଗୀ ଚିହ୍ନଟରେ ପ୍ରଥମ ସ୍ଥାନ ବଜାୟ ରଖିଥିବା ବେଳେ ଏହା ରାଜ୍ୟରେ ହଟସ୍ପଟ ହୋଇଛି। ଏହି ଜିଲ୍ଲାରେ ପ୍ରତି ଦିନ କିଛି ନା କିଛି ରୋଗୀ କରୋନା ପଜିଟିଭ ଚିହ୍ନଟ ହେଉଥିବା ବେଳେ ଆଜି ପୁଣି ଜଣେ ସଂକ୍ରମିତଙ୍କର ମୃତ୍ୟୁ ମଧ୍ୟ ଘଟିଛି। ଏ ନେଇ ପ୍ରଶାସନର ଚିନ୍ତା ବଢ଼ିଯାଇଛି।