ଅଯୋଧ୍ୟା ରାମଜନ୍ମଭୂମିର ସମତଳୀକରଣ ବେଳେ ମାଟି ତଳୁ ବାହାରିଲା ଦେବା ଦେବୀଙ୍କ ଭଗ୍ନ ମୂର୍ତ୍ତି ଦେଶ- ବିଦେଶ By Nitidin On May 21, 2020 Share ଅଯୋଧ୍ୟା,ଏଜେନ୍ସି: ଉତ୍ତର ପ୍ରଦେଶର ଅଯୋଧ୍ୟାର ରାମଭୂମିର ସମଳତୀକରଣ ସମୟରେ କିଛି ବିରଳ ଅଂଶବିଶେଷ ମିଳିଛି। ଏହା ଦ୍ୱାରା ଏଠାରେ ରାମ ମନ୍ଦିର ଥିବା ପ୍ରମାଣ ଆହୁରି ଶକ୍ତିଶାଳୀ ହୋଇଛି। ରାମଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ମହାସଚିବ ଚମ୍ପତ ରାୟ ସମଳତୀକରଣ କାର୍ୟ୍ୟ ସଂପର୍କରେ ସୂଚନା ଦେଇଛନ୍ତି। ରାମଜନ୍ମଭୂମିରେ ସମଳତୀକରଣ ସମୟରେ ମନ୍ଦିରର କିଛି ଭଗ୍ନାବଶେଷ ମିଳିଛି। ଏଥିରେ ମନ୍ଦିରର ପୁରାତନ ଖମ୍ବ, ପ୍ରାଚୀନ କୂଅ, ମନ୍ଦିର ଚଉକାଠ ଆଦି ରହିଛି। ସୂଚନାଯୋଗ୍ୟ, ଲକଡାଉନ ପାଳନ ସହିତ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ଗର୍ଭଗୃହରେ ସମଳତୀକରଣ କାର୍ୟ୍ୟ ଜାରି ରହିଛି। ଏଠାରେ ଜେସିବି ମେସିନ ସାହାଯ୍ୟରେ ଖୋଦେଇ କାମ ଚାଲିଛି। ରାମଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ମହାସଚିବ ଚମ୍ପତ ରାୟ କହିଛନ୍ତି, ସମତଳୀକରଣ ସମୟରେ ଏପର୍ୟ୍ୟନ୍ତ ଦେବୀ-ଦେବତାଙ୍କର ଭଗ୍ନ ମୂର୍ତ୍ତି, ଫୁଲ, କଳଶ ଓ ଅନ୍ୟ କଳାକୃତିର ଭଗ୍ନାବଶେଷ ମିଳିଛି। ଏହା ବ୍ୟତୀତ ମେହରାବ ପଥର, ସାତଟି କଳା ପଥର ଖମ୍ବ ଓ ୬ଟି ନାଲି ପଥର ଖମ୍ବ ମିଳିଛି। ଏଥି ସହିତ ୫ଫୁଟର ଏକ ଶିବଲିଙ୍ଗ ଆକୃତିର ଏକ ବିଶାଳ ପଥର ମିଳିଛି। ମହାସଚିବ ଶ୍ରୀ ରାୟ କହିଛନ୍ତି, ଜିଲ୍ଲାପାଳ ଅନୁଜ କୁମାର ଝାଙ୍କ ଅନୁମତିରେ ରାମଜନ୍ମଭୂମିରେ ସମତଳୀକରଣ କାମ ଚାଲିଛି। କରୋନା ଭାଇରସ ଯୋଗୁଁ ଏଠାରେ ସାମାଜିକ ଦୂରତାକୁ ଗୁରୁତ୍ୱ ଦିଆଯାଉଛି। ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ କହିଛି, ଲକଡାଉନ ଯୋଗୁଁ ରାମ ମନ୍ଦିର ନିର୍ମାଣ କାମ ବିଳମ୍ବ ହେଉଛି। Share