ଝାରସୁଗୁଡା,ଏନ୍ଏନ୍ଏସ୍: ଗୁଜୁରାଟରୁ ଗଞ୍ଜାମ ଆସୁଥିବା ଜଣେ ପ୍ରବାସୀଙ୍କର ବସ ଭିତରେ ମୃତ୍ୟୁ ହୋଇଛି। ମୃତକ ଶ୍ରମିକ ଜଣକ ଆସ୍କା ଅଞ୍ଚଳର ଭାସ୍କର ନାଏକ(୫୭) ବୋଲି ଜଣା ପଡିଛି। ସୂଚନା ଅନୁସାରେ ଗୁରୁରାଟରୁ ଏକ ବସ ଯୋଗେ କେତେକ ପ୍ରବାସୀ ଓଡିଆ ଶ୍ରମିକ ଛତିଶଗଡ଼ ରାୟଗଡ଼ ରାସ୍ତା ଦେଇ ଆଜି ୪୯ ନମ୍ବର ରାଜପଥରେ ଓଡ଼ିଶାର କନକତୋରା ଗେଟ ଦେଇ ଓଡ଼ିଶାକୁ ପ୍ରବେଶ କରିଥିଲେ।
ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା କନକତୋରା ଗେଟରେ ଥିବା ଡ଼ାକ୍ତର ଦଳ ଯାଞ୍ଚ କରିବା ସହିତ ଟ୍ରାଭେଲ ହିଷ୍ଟ୍ରି ରଖି ଓଡ଼ିଶା ଭିତରକୁ ବସଟିକୁ ଛାଡିଥିଲେ। ବୁଧବାର ରାତି ୧୦ ଟାରେ ବସଟି ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ୍ ପୁଞ୍ଜିପଥର ନିକଟରେ ପହଞ୍ଚିବାପରେ ବସରେ ଥିବା ଜଣେ ପୁରୁଷ ପ୍ରବାସୀଙ୍କ ମୃତ୍ୟୁ ହୋଇଯାଇଥିବା ବସରେ ଥିବା ଅନ୍ୟଯାତ୍ରୀମାନେ ଜଣିବାକୁ ପାଇଥିଲେ। ସେମାନେ ବସଟିକୁ ପୁଞ୍ଜିପଥର ନିକଟରେ ରଖି ୧୦୦ ନମ୍ବରେ ଫୋନ୍ କରି ସ୍ଥାନୀୟ ପୁଲିସକୁ ଜଣାଇଥିଲେ।
ଖବରପାଇ ଘଟଣା ସ୍ଥଳରେ ବ୍ରଜରାଜନର ଏସଡ଼ିପିଓ ଦିଲୀପ ଦାସ, ଲଖନପୁର ଥାନା ଅଧିକାରୀ ବୈକୁଣ୍ଠ ବିହାରୀ ସେଠ ପହଞ୍ଚି ମେଡ଼ିକାଲ ଟିମ ଡ଼କାଇ ପିପିଇ କିଟ ପରିଧାନ କରି ଶବକୁ ବସରୁ ବାହାରକରି ଝାରସୁଗୁଡ଼ା ଏକ ମରଚରିକୁ ପଠାଇଛନ୍ତି। ବସରେ ଥିବା ଅନ୍ୟଯାତ୍ରୀଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଖାଇବା ଓ ରହିବା ବ୍ୟବସ୍ଥା କରାଯାଇଛି।