ବରଗଡ଼,ଏନ୍ଏନ୍ଏସ୍: ବରଗଡ଼ରେ ଲକଡାଉନ ଯୋଗୁଁ ଫସି ରହିଥିବା ଉତ୍ତରପ୍ରଦେଶର ଯାଯାବରମାନେ ବୁଧବାର ନିଜ ଗାଁକୁ ଫେରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଝାଡ଼ୁ, ମଷିଣା ତିଆରି କରି ବରଗଡ଼ ସହରରେ ବିକ୍ରି କରୁଥିବା ଉତ୍ତରପ୍ରଦେଶର ପ୍ରାୟ ୬୦ଟି ପରିବାର ଲକଡାଉନ ଯୋଗୁଁ ବରଗଡ଼ ରେଲୱେ ଷ୍ଟେସନରେ ଫସି ରହିଥିଲେ। ରୋଜଗାର ବନ୍ଦ ହୋଇଯାଇଥିବାରୁ ସେମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ତେବେ ଅସହାୟ ଅବସ୍ଥାରେ ଥିବା ଏହି ଯାଯାବରଙ୍କ ସମ୍ପର୍କରେ ଖବର ପାଇ ସହରର ବହୁ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସେମାନଙ୍କ ପାଇଁ ଖାଇବା ବ୍ୟବସ୍ଥା କରିଥିଲେ। ଏପରିକି ଅର୍ଥାଭାବ ଯୋଗୁ ସେମାନେ ଗୋଟିଏ ଗୋଟିଏ ବସ୍ତ୍ର ଦୀର୍ଘ ଦିନ ଧରି ପିନ୍ଧୁଥିବାବେଳେ ବିଭିନ୍ନ ସଂଗଠନ ତଥା ଜନସାଧାରଣଙ୍କ ତରଫରୁ ବସ୍ତ୍ର ଯୋଗାଇ ଦିଆଯାଇଥିଲା। ଅପରପକ୍ଷେ ବରଗଡ଼ର ବିଶିଷ୍ଟ ସମାଜସେବୀ ଦମ୍ପତି ଡ. ସୁସ୍ମିତା ଦାଶ ଓ ଡ.ରାଜେଶ ତ୍ରିପାଠୀ ଯାଯାବରଙ୍କୁ ସହାୟତାର ହାତ ବଢ଼ାଇବା ସହ ମାଗଣାରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଇଥିଲେ ।
ଲକଡାଉନ ସମୟରେ ଜନୈକ ଯାଯାବର ମହିଳା ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିବା ବେଳେ ତା’ର ନାମ ‘ଓଡିଶା’ ଦେଇଥିଲେ ଏବଂ ଦୁଇମାସର ଶିଶୁ କନ୍ୟା ‘ଓଡିଶା’କୁ ସାଙ୍ଗରେ ନେଇ ସେମାନେ ଆଜି ନିଜ ଗାଁକୁ ଫେରି ଯାଇଥିଲେ । ବୁଧବାର ଯାଯାବରମାନେ ଏକ ବସ ଯୋଗେ ସମ୍ବଲପୁର ଯାଇଥିବା ବେଳେ ସେଠାରୁ ଟ୍ରେନ ଯୋଗେ ଉତ୍ତରପ୍ରଦେଶ ଯାତ୍ରା କରିଛନ୍ତି। ଲକଡାଉନ ସମୟରେ ବରଗଡ଼ବାସୀ ବିଶେଷ କରି ଏଠାକାର ସ୍ୱେଚ୍ଛାସେବୀଙ୍କ ସାହାଯ୍ୟକୁ ସେମାନେ କେବେ ଭୁଲିପାରିବେ ନାହିଁ ବୋଲି କହଥିଲେ ।
ସୂଚନାଯୋଗ୍ୟ, ଉତ୍ତରପ୍ରଦେଶ ବାରବାଙ୍କି ଜିଲ୍ଳାର ସିନେ୍ଧାରର ଯାଯାବର ପରିବାର ଦୀର୍ଘ ୫ ବର୍ଷ ହେବ ବରଗଡ଼ ସହରକୁ ଆସି ଝାଡୁ , ମଷିଣା ଆଦି ତିଆରି କରି ପରିବାର ପ୍ରତିପୋଷଣ କରୁୁଥିଲେ । ତେବେ ଚଳିତ ବର୍ଷ ଲକଡାଉନ ଯୋଗୁଁ ତାଙ୍କ ବେପାର ବନ୍ଦ ହୋଇଯାଇଥିବା ସହ ସେମାନେ ଗାଁକୁ ମଧ୍ୟ ଫେରି ପାରୁ ନଥିଲେ ।
ଫଟୋ-ଯାଯାବର ପରିବାର ନିଜ ଗାଁକୁ ଫେରୁଛନ୍ତି ।