ସିବିଏସଇ ଦଶମ ଓ ଦ୍ୱାଦଶ ପରୀକ୍ଷା ହେଲା ଲକଡାଉନ କଟକଣାମୁକ୍ତ

ନୂଆଦିଲ୍ଲୀ: କେନ୍ଦ୍ରୀୟ ଗୃହ ମନ୍ତ୍ରଣାଳୟ ଦ୍ୱାରା ସିବିଏସଇ ଦଶମ ଓ ଦ୍ୱାଦଶ ପରୀକ୍ଷାକୁ ଲକଡାଉନ କଟକଣାମୁକ୍ତ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଏନେଇ କେନ୍ଦ୍ରୀୟ ଗୃହ ମନ୍ତ୍ରଣାଳୟ ପରୀକ୍ଷା ହେବାକୁ ନେଇ ସବୁ ରାଜ୍ୟର ପ୍ରମୁଖ ସଚିବ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ପତ୍ର ଲେଖିଛନ୍ତି।

ସୂଚନାନୁସାରେ, କେନ୍ଦ୍ରୀୟ ଗୃହ ସଚିବ ଅଜୟ କୁମାର ଭଲ୍ଲା ପରୀକ୍ଷାକୁ ନେଇ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସଚିବଙ୍କୁ ପତ୍ର ଲେଖିଛନ୍ତି। ପତ୍ରରେ ସେ ଲେଖିଛନ୍ତି କି, କଣ୍ଟେନମେଣ୍ଟ ଜୋନରେ ପରୀକ୍ଷା କେନ୍ଦ୍ର ହେବନାହିଁ। ପରୀକ୍ଷା କେନ୍ଦ୍ରରେ ଛାତ୍ରଛାତ୍ରୀ, ପରୀକ୍ଷକ ଓ ସ୍କୁଲ କର୍ମଚାରୀଙ୍କୁ ମାସ୍କ ପିନ୍ଧିବାକୁ ପଡ଼ିବ। ପରୀକ୍ଷା କେନ୍ଦ୍ରରେ ଛାତ୍ରଛାତ୍ରୀଙ୍କର ଥର୍ମାଲ ସ୍କ୍ରିନିଂ କରାଯିବ। ପ୍ରତ୍ୟେକ ପରୀକ୍ଷା କେନ୍ଦ୍ରରେ ସାନିଟାଇଜର ବ୍ୟବସ୍ଥା କରାଯିବ। ଯଦି ଆବଶ୍ୟକ ପଡ଼େ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା କେନ୍ଦ୍ରକୁ ଆଣିବା ପାଇଁ ବିଶେଷ ବସ୍ ବ୍ୟବସ୍ଥା କରିବାକୁ ପଡ଼ିବ। ଏଥି ସହିତ ପରୀକ୍ଷା ସୂଚୀ ସମ୍ବନ୍ଧୀୟ ସୂଚନା ସିବିଏସ୍ଇ ବୋର୍ଡ ଓ ରାଜ୍ୟ ମନ୍ତ୍ରଣାଳୟକୁ ଦେବାକୁ ପଡ଼ିବ।

ଲକଡାଉନ ଯୋଗୁ ସ୍କୁଲ, କଲେଜ ଓ ଶୈକ୍ଷକିକ ସଂସ୍ଥା ବନ୍ଦ ରହିଥିବାରୁ ପରୀକ୍ଷା ହେବାକୁ ନେଇ ଛାତ୍ରଛାତ୍ରୀ ଓ ଅଧ୍ୟାପକ ଆଶଙ୍କାରେ ଥିଲେ। କିନ୍ତୁ ଛାତ୍ରଛାତ୍ରୀଙ୍କ ଶୈକ୍ଷିକ ସ୍ୱାର୍ଥକୁ ଦୃଷ୍ଟିରେ ରଖି ପରୀକ୍ଷା ପାଇଁ ଅନୁମତି ଦିଆଯାଇଛି ବୋଲି ଗୃହମନ୍ତ୍ରୀ ଅମିତ ଶାହ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ପରୀକ୍ଷା ସମୟରେ ସୁରକ୍ଷା ଦୃଷ୍ଟିରୁ ଛାତ୍ରଛାତ୍ରୀଙ୍କୁ ମାସ୍କ ସହ ସାମାଜିକ ଦୂରତ୍ୱକୁ ପାଳନ କରିବାକୁ ପଡ଼ିବ।