ଜିମ୍ ସିଲ୍ କଲା ଜିଲ୍ଲା ପ୍ରଶାସନ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଲକଡାଉନ କଟକଣାକୁ ବେଖାତିର କରି ଝାରସୁଗୁଡ଼ା ସହରରେ ଖୋଲାଯାଇଥିବା ଏକ ଜିମ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସିଲ କରାଯାଇଛି। ଫ୍ୟୁଜନ ଫିଟ୍ ନାମକ ଏହି ଜିମ୍ ସେଣ୍ଟରଟି ଝାରସୁଗୁଡ଼ା ସହରସ୍ଥିତ ବିଗ ବଜାରରେ ରହିଛି। ସରକାରଙ୍କ ପକ୍ଷରୁ ଜିମ, ସୁଇମିଙ୍ଗ ପୁଲ, ସିନେମା ହଲ ପରି ସମସ୍ତ ଜନଗହଳିପୂର୍ଣ୍ଣ ସ୍ଥାନକୁ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଥିବା ବେଳେ ଏହି ଜିମ୍ଟି ଖୋଲା ରହୁଥିଲା। ଲୋକେ ପ୍ରତିଦିନ ଏଠାକୁ ଆସି ବ୍ୟାୟାମ କରୁଥିଲେ। ଫଳରେ ଏଠାରେ ଗହଳି ହେବା ସହ ସାମାଜିକ ଦୂରତା ଭଙ୍ଗ ହେଉଥିଲା। ତେଣୁ ପ୍ରଶାସନର ନିୟମ ଉଲଙ୍ଘନ କରି ଜିମ୍ ଖୋଲା ରଖି ଜନଗହଳି ସୃଷ୍ଟି କରୁଥିବାରୁ ଏହାକୁ ସିଲ୍ କରାଯାଇଛି। ଲକଡାଉନ ଅବଧି ଶେଷ ହୋଇ ନୂତନ ନିର୍ଦ୍ଦେଶନାମା ନ ଆସିବା ପର୍ଯ୍ୟନ୍ତ ଏହି ଜିମ୍ଟି ସିଲ ରହିବ ବୋଲି ଝାରସୁଗୁଡ଼ା ଟାଉନ ଥାନା ଅଧିକାରୀ ସାବିତ୍ରୀ ବଳ ସୂଚନା ଦେଇଛନ୍ତି। ସେହିପରି ଲକଡାଉନ ନିୟମ ଉଲଙ୍ଘନ କରି ଖୋଲା ଯାଉଥିବା ଦୋକାନ, ଖାଉଟୀ ତଥା ଅତ୍ୟାବଶ୍ୟକ ସାମଗ୍ରୀର ବେଆଇନ ଦର ବୃଦ୍ଧି ଓ ରାତ୍ରୀକାଳୀନ କର୍ଫ୍ୟୁ ଖିଲାପକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି।