ଝାରସୁଗୁଡା,ଏନ୍ଏନ୍ଏସ୍: ଝାରସୁଗୁଡା ଜିଲ୍ଲା ଲଇକେରା ଥାନା ସାହାସପୁର ଫାଣ୍ଡି ଅଧିନରେ ଥିବା ଡୁଡୁକା ବାହାଲ ଗ୍ରାମର ଜଣେ ମତ୍ସ୍ୟଜିବୀ ହାତିଆ ନାଲା ଡ୍ୟାମରେ ବୁଡି ପ୍ରାଣ ହରାଇଛନ୍ତି। ମୃତକ ଜଣକ ରୂପାନନ୍ଦ ପ୍ରଧାନଙ୍କ ପୁଅ ଅନିଲ ପ୍ରଧାନ(୨୦) ବୋଲି ଜଣା ପଡିଛି। ସେ ସ୍ଥାନୀୟ ମତ୍ସ୍ୟଜୀବୀ ସମବାୟ ସମିତିର ଜଣେ ସଦସ୍ୟ ଥିଲେ। ପ୍ରତିଦିନ ପରି ମଙ୍ଗଳବାର ପୂର୍ବାହ୍ଣରେ ଅନିଲ ମାଛ ମାରିବାକୁ ସ୍ଥାନୀୟ ହାତିଆ ନାଲା ଡ୍ୟାମକୁ ଯାଇ ଘରକୁ ଫେରି ନଥିଲେ।
ଘର ଲୋକେ ତଥା ଗ୍ରାମବାସୀ ତାଙ୍କୁ ଖୋଜାଖୋଜି କରିଥିଲେ ମଧ୍ୟ ପାଇ ନଥିଲେ। ତେବେ ଆଜି ସକାଳେ ଅନିଲଙ୍କ ଶବ ହାତିଆ ନାଲାରେ ଭାସୁଥିବାର ଦେଖି ଗ୍ରାମବାସୀମାନେ ପୁଲିସକୁ ଖବର ଦେଇଥିଲେ। ଖବରପାଇ ସାହାସପୁର ଫାଣ୍ଡି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛନ୍ତି। ସ୍ଥାନୀୟ ମତ୍ସ୍ୟଜୀବୀ ସମବାୟ ସମିତିର ସଦସ୍ୟମାନେ ଅନିଲଙ୍କ ମୃତ୍ୟୁ ପାଇଁ ଶୋକପ୍ରକାଶ କରିବା ସହ ତାଙ୍କ ପରିବାର ଲୋକଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ଦାବି କରିଛନ୍ତି।