ପାରାଦୀପ ଠାରୁ ୭୯୦ କିମି ଦୂରରେ ବାତ୍ୟା ‘ଅମ୍ଫାନ’

ଭୁବନେଶ୍ୱର,ଏନ୍ଏନ୍ଏସ୍ : ସାମୁଦ୍ରିକ ଝଡ଼ ଅମ୍ଫାନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରୁ ସ୍ଥଳ ଭାଗଡଆଡ଼କୁ ମାଡ଼ି ଆସୁଛି। ଗତକାଲି ସନ୍ଧ୍ୟାରେ ଏହା ବାତ୍ୟାର ରୂପ ନେଇ ସାରିଛି। ତେବେ ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା ସୁପର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବାର ସମ୍ଭାବନା ରହିଛି। ଏଥିସହ ଘଣ୍ଟାପ୍ରତି ୨୬୫ କିଲୋମିଟର ବେଗରେ ପବନ ବହିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଏ ନେଇ ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ତେବେ ଏହି ବାତ୍ୟାଟି ଉତ୍ତର ପୂର୍ବ ଆଡେ ମୁହାଁଉଛି। ଦୀଘା ଠାରୁ ୯୪୦ କିଲୋମିଟର ଦୂରରେ ରହିଥିବା ବେଳେ ପାରାଦୀପ ଠାରୁ ୭୯୦ କିଲୋମିଟର ଦୂରରେ ରହିଛି। ଏବଂ ବାତ୍ୟା ଘଣ୍ଟାପ୍ରତି ୧୩ କିଲୋମିଟର ବେଗରେ ଗତି କରୁଛି। ବାତ୍ୟା ଅମ୍ଫାନ ବଙ୍ଗୋପସାଗରରେ ଅତିଭୀଷଣ ରୂପ ଧାରଣ କରିସାରିଛି। ବାତ୍ୟା କେଉଁଠି ଲାଣ୍ଡଫଲ କରିବ ଯଦିଓ ସ୍ପଷ୍ଟ ହୋଇପାରି ନାହିଁ, ତଥାପି ଏହା ପଶ୍ଚିମବଙ୍ଗ ଓ ବାଂଲାଦେଶ ମଧ୍ୟ ଭାଗରେ ଥିବା ସ୍ଥଳଭାଗରେ ଲ୍ୟାଣ୍ଡଫଲ କରିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ବାତ୍ୟା ଯୋଗୁଁ ଉତ୍ତର ଉପକୂଳ ଓଡ଼ିଶା ପ୍ରଭାବିତ ହୋଇପାରେ। ତେଣୁ ଆଜି ଉପକୂଳବର୍ତ୍ତୀ ଅଞ୍ଚଳରେ ସ୍ୱଳ୍ପ ବର୍ଷା ହେବାର ସମ୍ଭାବନା ରହିଛି। ଜଗତସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲା ପାଇଁ ଅଧିକ ବିପଦ ରହିଛି । ଯାହା ଅନୁମାନ କରାଯାଉଛି, ୧୮ତାରିଖ ସ୍ୱଳ୍ପ ବର୍ଷା ହେବାକୁ ଥିବା ବେଳେ ୧୯ ତାରିଖ ଠାରୁ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଘଡଘଡ଼ି ବର୍ଷା ସହ ପବନର ଘଣ୍ଟା ପିଛା ବେଗ ୪୦ରୁ ୫୦ କିଲୋମିଟର ରହିପାରେ।