ଅଧା ରାସ୍ତାରେ ପ୍ରବାସୀ ଶ୍ରମିକଙ୍କୁ ଛାଡି ଯାଉଥିଲା ତାମିଲ ବସ, ମାନବିକତା ଦେଖାଇଲା ଦେବଗଡ଼ ଥାନା ପୁଲିସ

ଦେବଗଡ଼,ଏନ୍ଏନ୍ଏସ୍: ଦେଶରେ ଲକଡାଉନ ଯୋଗୁଁ ବିଭିନ୍ନ ଶିଳ୍ପାନୁଷ୍ଠାନ ବନ୍ଦ ହେବା କାରଣରୁ ରୋଜଗାର ହରାଇ ଶ୍ରମିକ ହତାଶ ହୋଇଥିବା ବେଳେ ଏହାର ସୁଯୋଗରେ କେତେକ ମାନବିକତା ହୀନ ବ୍ୟକ୍ତି ଶୋଷଣ କରିବାର ସୁଯୋଗ ହାତ ଛଡା କରୁନାହାନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ଦେବଗଡ଼ ଅଞ୍ଚଳରେ। ମିଳିଥିବା ସୂଚନା ଅନୁଯାୟୀ ତାମିଲନାଡୁର ଉକ୍କାତାଇରେ ହୁଣ୍ଡାଇ କମ୍ପାନୀରେ ଶ୍ରମିକ ଭାବେ କାମ କରୁଥିବା ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ଅଞ୍ଚଳ ଓ ଝାରଖଣ୍ଡ ଚାଇଁବସା ଜିଲ୍ଲାର ୩୦ ଜଣ ଶ୍ରମିକ ଏକ ବସ ଭଡା କରି ଜଣ ପ୍ରତି ୬ ହଜାର ୭୦୦ଟଙ୍କା ଲେଖାଏଁ ହିସାବରେ ୧ଲକ୍ଷ ୮୫ ହଜାର ହଜାର ଟଙ୍କା ଜମା ଦେଇ ରାଉରକେଲା ପର୍ଯ୍ୟନ୍ତ ଛାଡିବାକୁ ଚୁକ୍ତି କରିଥିଲେ।

ଚୁକ୍ତି ମୁତାବକ ଜେବି ଏସ ଟ୍ରାଭେଲର ବସ୍ (ଟିଏନ -୩୨ଏସି-୨୭୯୯) ଗାଡିଟି ଆଜି ଦେବଗଡ଼ ପହଞ୍ଚିଵା ପରେ ସନ୍ଧ୍ୟା ୮ଟା ସମୟରେ ରାଉରକେଲା ପର୍ୟ୍ୟନ୍ତ ବସରେ ଯିବାକୁ ଥିବା ୧୪ ପ୍ରବାସୀ ଶ୍ରମିକଙ୍କୁ ଓହ୍ଲାଇ ଦେଇ ଫେରି ଯାଉଥିଲା। ଫଳରେ ହତାଶ ପ୍ରବାସୀ ଶ୍ରମିକ ମାନେ ଦେବଗଡ଼ ଥାନାକୁ ଆସି ଅଭିଯୋଗ କରିବା ପରେ ଦେବଗଡ଼ ଆଦର୍ଶ ଥାନା ପୁଲିସ ମାନବିକତା ଦେଖାଇ ରିଆମାଳ ଓ କୁଣ୍ଢେଇଗୋଳା ଥାନା ପୁଲିସକୁ ଯୋଗାଯୋଗ କରି ଫେରିଯାଉଥିବା ବସକୁ ଅଟକାଇ ପୁଣିଥରେ ଦେବଗଡ଼କୁ ଫେରାଇ ଆଣିଛି।

ଏଥି ସହ ୨ଦିନ ଧରି ଅଖିଆ ଥିବା ଶ୍ରମିକଙ୍କୁ ରନ୍ଧା ଖାଦ୍ୟ ବ୍ୟବସ୍ଥା କରିବା ସହ ସେମାନଙ୍କୁ ବିଶ୍ରାମ ପାଇଁ ବ୍ୟବସ୍ଥା କରିବା ସହ ବସରେ ପୁଣିଥରେ ସେମାଙ୍କୁ ରାଉରକେଲା ଯିବାପାଇଁ ବ୍ୟବସ୍ଥା କରିଥିଲେ। ତେବେ ଜିଲ୍ଲା ପ୍ରଶାସନ ଅସୁବିଧାରେ ଥିବା ପ୍ରବାସୀ ଶ୍ରମିକଙ୍କୁ ସହଯୋଗ କରିବା ପରିବର୍ତ୍ତେ ନିଜ ନିଜ ମୁଣ୍ଡରୁ ଦୋଷ ଛଡାଇ ଦାୟିତ୍ୱରୁ ଦୁରେଇ ଯାଇଥିବା ବେଳେ ଦେବଗଡ଼ ଥାନା ପୁଲିସ ସେମାନଙ୍କୁ ମାନବିକତା ଦେଖାଇ ଥିବାରୁ ପ୍ରବାସୀ ଶ୍ରମିକ ମାନେ ସାଧୁବାଦ ଜଣାଇଛନ୍ତି।