୩୦ କୋଟିରୁ ଅଧିକ ଲୋକଙ୍କ ଆକାଉଣ୍ଟକୁ ଟଙ୍କା ପଠାଇଛୁ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ନୂଆଦିଲ୍ଲୀ,ଏଜେନ୍ସି: ଶ୍ରମିକ ମାନଙ୍କ ଆକାଉଣ୍ଟକୁ ସରକାର ସିଧାସଳଖ ଟଙ୍କା ପଠାଉ ନଥିବା ନେଇ ବିରୋଧୀ ଦଳର ଅଭିଯୋଗକୁ ପ୍ରତ୍ୟାଖାନ କରି ଅର୍ଥମନ୍ତ୍ରୀ ଅନୁରାଗ ଠାକୁର ବିରୋଧୀ ଦଳ ମାନଙ୍କୁ କଡା ଜବାବ ଦେଇଛନ୍ତି। ସେ କହିଛନ୍ତି ଯେ ପ୍ରବାସୀ ଶ୍ରମିକମାନଙ୍କୁ ଘରକୁ ନେବା ପାଇଁ ଶ୍ରମ ଟ୍ରେନ୍ ଚଳାଚଳ କରିଛନ୍ତି ସରକାର। ରାଜ୍ୟମାନେ ଯେତେ ଟ୍ରେନର ଆବଶ୍ୟକତା କରିଲେ ସେତେ ଟ୍ରେନ ଯୋଗାଇ ଦିଆଗଲା। କେନ୍ଦ୍ର ସରକାର ଏହି ଟ୍ରେନ ଚଳାଚଳର ୮୫ ପ୍ରତିଶତ ଖର୍ଚ୍ଚ ନିଜେ ବହନ କରୁଛନ୍ତି। ସେହିପରି ୨୫ କୋଟି ଲୋକଙ୍କୁ ମାଗଣାରେ ଗହମ ଏବଂ ଚାଉଳ ଦିଆଯାଇଛି।

ଏଥି ସହିତ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅଧୀନରେ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ପ୍ରତ୍ୟକ୍ଷ ଲାଭାର୍ଥୀଙ୍କୁ ନିଜ ବ୍ୟାଙ୍କ ଆକାଉଣ୍ଟରେ ନଗଦ ଟଙ୍କା ଟ୍ରାନ୍ସଫର କରାଯାଇଛି। ଏହା ଅଧୀନରେ ୮.୧୯ କୋଟି ଚାଷୀଙ୍କ ଆକାଉଣ୍ଟରେ ୨ ହଜାର ଟଙ୍କା ଜମା ହୋଇଛି।

ଏଥିସହିତ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ଏହା ବ୍ୟତୀତ ଦେଶର ୨୦ କୋଟି ଜନଧନ ଆକାଉଣ୍ଟକୁ ସିଧାସଳଖ ଲାଭ ଟ୍ରାନ୍ସଫର ମାଧ୍ୟମରେ ୫୦୦ କରି ୩ ମାସ ପର୍ଯ୍ୟନ୍ତ ଟଙ୍କା ପଠାଯାଉଛି। ଉଜ୍ୱଲା ଯୋଜନା ଅଧୀନରେ ୬.୮୧ କୋଟି ଏଲପିଜି ଧାରକଙ୍କୁ ମାଗଣା ସିଲିଣ୍ଡର ଦିଆଯାଇଛି। ଏହା ବ୍ୟତୀତ ୨.୨୦ କୋଟି ନିର୍ମାଣ ଶ୍ରମିକଙ୍କୁ ସେମାନଙ୍କ ଆକାଉଣ୍ଟରେ ସିଧାସଳଖ ଟଙ୍କା ଦିଆଯାଇଛି। କେନ୍ଦ୍ର ସରକାର ଶ୍ରମିକମାନେ କିଭଳି ନିଜ ରାଜ୍ୟରେ ସୁବିଧାରେ ପହଁଞ୍ଚିବେ ସେ ନେଇ କେନ୍ଦ୍ର ସରକାର ୮୫% ଖର୍ଚ୍ଚ ଦେଉଛନ୍ତି। ଶ୍ରମିକମାନଙ୍କୁ ଟ୍ରେନରେ ଖାଦ୍ୟ ଦିଆଯାଉଛି।

ଅର୍ଥମନ୍ତ୍ରୀ କହିଛନ୍ତି ଯେ କରୋନା ଜୀବାଣୁ ମୁକାବିଲା ପାଇଁ ସ୍ୱାସ୍ଥ୍ୟ ବିଭାଗକୁ ୧୫,୦୦୦ କୋଟି ଟଙ୍କା ପ୍ରଦାନ କରାଯାଇଛି। ପରୀକ୍ଷା ଏବଂ ଲ୍ୟାବ କିଟ୍ ପାଇଁ ୫୫୦ କୋଟି ଯୋଗା ଯାଇଛି। କରୋନା ସହିତ ଯୁଦ୍ଧରେ ସଂଗ୍ରାମ କରୁଥିବା ସ୍ୱାସ୍ଥ୍ୟ କର୍ମଚାରୀଙ୍କ ପାଇଁ ୫୦ ଲକ୍ଷ ଟଙ୍କା ସ୍ୱାସ୍ଥ୍ୟ ବୀମା ଘୋଷଣା କରାଯାଇଛି।