କଟକ,ଏନ୍ଏନ୍ଏସ୍ : ବିଭିନ୍ନ ରାଜ୍ୟକୁ ଚାଲିଚାଲି ଯାଉଥିବା ୪ ଶହ ଶ୍ରମିକଙ୍କୁ ଆଜି କଟକ ପୁଲିସ ୭ଟି ବସ ଯୋଗେ ସେମାନଙ୍କ ନିଜ ନିଜ ରାଜ୍ୟକୁ ପଠାଇଛି। ଦିନରେ ବ୍ରହ୍ମପୁରରୁ ୨୫ ଜଣ ଶ୍ରମିକ ଚାଲିଚାଲି ଝାଡ଼ଖଣ୍ଡ ଯାଉଥିବା ବେଳେ କଟକ ଲିଙ୍କରୋଡଠାରେ ପୁଲିସ ସେମାନଙ୍କୁ ପ୍ରଥମେ ଅଟକାଇ ଥିଲା। କରୋନାଜନିତ ଲକଡାଉନ୍ ଯୋଗୁଁ ସେମାନେ ବ୍ରହ୍ମପୁରରୁ ଟ୍ରକରେ ଆସି ଭୁବନେଶ୍ୱରରେ ଓହ୍ଲାଇଥିଲେ। ଭୁବନେଶ୍ୱରରୁ ଚାଲି ଚାଲି ଯାଉଥିବା ବେଳେ ପୁଲିସ ସେମାନଙ୍କୁ ଅଟକାଇଥିବା ଜଣାପଡ଼ିଛି। କେତେକ ଶ୍ରମିକଙ୍କୁ ଭୋକ ଲାଗୁଥିôବାରୁ ସେମାନେ ଖାଇବାକୁ ଦେବା ପାଇଁ ପୁଲିସକୁ ଅନୁରୋଧ କରିଥିଲେ।
ଖବର ପାଇ ଅତିରିକ୍ତ ଡିସିପି ପ୍ରମୋଦ ରଥ, ଏସିପି ଏସ୍ଏନ୍ ମୁଦୁଲି, ମଧୁପାଟଣା ଥାନା ଆଇଆଇସି ତୁଷାରକାନ୍ତ ସେଠୀ, ଏଏସଆଇ ପିକେ ପ୍ରହରାଜ ପ୍ରମୁଖ ସେଠାରେ ପହଞ୍ôଚ ଶ୍ରମିକଙ୍କୁ ଚାଲିଚାଲି ନଯିବା ପାଇଁ ପରାମର୍ଶ ଦେଇଥିଲେ। ସେମାନଙ୍କୁ ଖାଦ୍ୟ ଓ ପାନୀୟ ମଧ୍ୟ ଯୋଗାଇ ଦିଆଯାଇଥିଲା। ସ୍ଥାନୀୟ ଆଇଟିଆଇରେ ସେମାନଙ୍କୁ ରହିବା ପାଇଁ ପୁଲିସ କହିବା ସହ ସନ୍ଧ୍ୟା ସୁଦ୍ଧା ସେମାନଙ୍କୁ ବସ୍ ଯୋଗେ ଝାଡ଼ଖଣ୍ଡ ଯିବାର ପ୍ରତିଶ୍ରୁତି ଦେଇଥିଲେ।
ସମ୍ପୃକ୍ତ ଶ୍ରମିକମାନେ ଆଇଟିଆଇକୁ ଯାଇ ବିଶ୍ରାମ ନେଇଥିଲେ। ଏଥିପୂର୍ବରୁ ଓଡ଼ିଶାରେ ବାହାର ରାଜ୍ୟର ଶ୍ରମିକମାନେ ଲକଡାଉନ ଯୋଗୁଁ ଫସି ରହିଥିବାରୁ ସେମାନଙ୍କୁ କଟକ କମିଶନରେଟ ପୁଲିସ ଅଧୀନସ୍ଥ ବିଭିନ୍ନ ଅସ୍ଥାୟୀ ଆଶ୍ରୟ କେନ୍ଦ୍ରରେ ରଖାଯାଇଥିଲା। ଓଡ଼ିଶାରେ କାମ କରୁଥିବା ବାହାର ରାଜ୍ୟର ଶ୍ରମିକ ଲକ୍ଡାଉନ ଯୋଗୁଁ କାମଧନ୍ଦା ନପାଇ ନିଜ ରାଜ୍ୟକୁ ଚାଲି ଚାଲି ଯିବା ପାଇଁ ଚାହୁଁଥିବା ବେଳେ ପୁଲିସ ପ୍ରାୟ ୬ ଶହ ଶ୍ରମିକଙ୍କୁ ଅଟକାଇ ଖପୁରିଆ ଆଇଟିଆଇରେ ରଖିବାର ବ୍ୟବସ୍ଥା କରିଥିଲା। ସେମାନଙ୍କ ଘର ମଧ୍ୟପ୍ରଦେଶ, ବିହାର, ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ ଓ ଝାଡ଼ଖଣ୍ଡ ପ୍ରଭୃତି ରାଜ୍ୟରେ ବୋଲି ଜଣାପଡ଼ିଛି।
ସେହିପରି ଚାଉଳିଆଗଞ୍ଜ ଥାନା ଅନ୍ତର୍ଗତ ଜେକେବିକେ କଲେଜ ଏବଂ ଓଏସ୍ଏପି ବାଟାଲିୟନ ନିକଟରେ ବାହାର ରାଜ୍ୟର ଶ୍ରମିକ ଅସ୍ଥାୟୀ ଭାବେ ଆଶ୍ରୟ ନେଇଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ ସେମାନଙ୍କ ଖାଦ୍ୟପେୟର ବ୍ୟବସ୍ଥା କରାଯାଇଥିଲା। ସେହିଭଳି ଅନ୍ୟାନ୍ୟ ଥାନା ଇଲାକାରେ ରହିଥିବା ସାମୟିକ ରହଣୀ କେନ୍ଦ୍ରରେ ଶ୍ରମିକଙ୍କୁ ରଖାଯାଇଥିଲା। ଆଜି ୭ଟି ବସ୍ ଯୋଗେ ସେମାନଙ୍କ ମଧ୍ୟରୁ ୪ ଶହଙ୍କୁ ତାଙ୍କ ରାଜ୍ୟକୁ ପଠାଇ ଦିଆଯାଇଛି। ଅପରପକ୍ଷେ ଝାଡ଼ଖଣ୍ଡର ୨୦୦ ଶ୍ରମିକ ଏବେ ବି ରହିଛନ୍ତି। ସେମାନଙ୍କୁ ୪ଟି ବସ ଯୋଗେ ପଠାଯିବା ପାଇଁ ବ୍ୟବସ୍ଥା କରାଯାଉଛି ବୋଲି କମିଶନରେଟ୍ ପୁଲିସ ପକ୍ଷରୁ ଜଣାପଡ଼ିଛି।