ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଲକଡାଉନ ଅବଧି ବାରମ୍ବାର ବଢ଼ୁଥିବାରୁ କାମଧନ୍ଦା ହରାଇ ଶ୍ରମିକମାନେ ଘରମୁହାଁ ହେଉଛନ୍ତି। ଅସହ୍ୟ ଖରାରେ ଖାଦ୍ୟ ପାନୀୟ ବିନା ଶହଶହ କିଲୋମିଟର ଦୂରରେ ଥିବା ନିଜ ଘରକୁ ଯାଉଥିବା ସମୟରେ ଏବେ ଅଂଶୁଘାତର ଶିକାର ହେବାର ଅନେକ ସମ୍ଭାବନା ରହିଛି। ଏହାସତ୍ତେ୍ୱ ପ୍ରତିଦିନ ହଜାର ହାଜର ଶ୍ରମିକ ଝାରସୁଗୁଡ଼ା ଦେଇ ନିଜ ନିଜ ରାଜ୍ୟକୁ ଫେରୁଛନ୍ତି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଏହି ଭୋକିଲା ଶ୍ରମିକଙ୍କୁ ମାଗଣାରେ ଖାଦ୍ୟ ଏବଂ ପାନୀୟ ଜଳ ଯୋଗାଇ ଦେବା ପାଇଁ ଝାରସୁଗୁଡ଼ାର ବିଭିନ୍ନ ଛକରେ କ୍ୟାମ୍ପ କରାଯାଇଛି। ଏହି କ୍ୟାମ୍ପରେ ପ୍ରଶାସନିକ ଅଧିକାରୀ ଓ ପୁଲିସ କର୍ମଚାରୀ ଉପସ୍ଥିତ ରହି ଶ୍ରମିକଙ୍କୁ ଖାଦ୍ୟ ଓ ପାନୀୟ ଜଳ ଯୋଗାଉଛନ୍ତି। ସେହିପରି ରେଳ ଧାରଣାରେ ଅଥବା ରାସ୍ତାରେ ଚାଲିଚାଲି ଯାଉଥିବା ଶ୍ରମିକଙ୍କୁ ମଧ୍ୟ ଖାଇବା ପିଇବା ଯୋଗାଇବା ସହ ଘରକୁ ଫେରିବା ବ୍ୟବସ୍ଥା ପ୍ରଶାସନ ପକ୍ଷରୁ କରାଯାଉଛି। ଝାରସୁଗୁଡ଼ାର ଅନେକ ସମାଜସେବୀ ସଂଗଠନ ମଧ୍ୟ ଏହି ଶ୍ରମିକମାନଙ୍କୁ ଖାଦ୍ୟ ଓ ପାନୀୟ ଜଳ ଯୋଗାଉଛନ୍ତି।