ଲକଡାଉନରେ ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ନ ପାଇ ପ୍ରବାସୀ ଶ୍ରମିକର ମୃତ୍ୟୁ: ସୀମା ପ୍ରବେଶ ପଥଦେଇ ଶବ ଆଣିବାକୁ ଅନୁମତି ଦେଲାନି ଜିଲ୍ଲା ପ୍ରଶାସନ ଜିଲ୍ଲା By Nitidin On May 16, 2020 Share ମାଲକାନଗିରି,ଏନ୍ଏନ୍ଏସ୍: ଲକଡାଉନ ଯୋଗୁଁ ବହୁ ଗରିବ, ଖଟିଖିଆ ବିଭିିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା ଦେଖାଯାଇଛି। ଏଭଳି ସମୟରେ ଜଣେ ଶ୍ରମିକ କାମ କରିବାକୁ ଯାଇ ଦେହ ଖରାପ ହେବାରୁ ଉପଯୁ୍କ୍ତ ସ୍ୱାସ୍ଥ୍ୟ ସେବା ନପାଇ ତେଲେଙ୍ଗାନାରେ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। ସେଠାରୁ ନିଜ ଜିଲ୍ଲା ମାଲକାନଗିରିକୁ ମୃତ ଦେହ ଆଣିବା ସମୟରେ ଜିଲ୍ଲାର ପ୍ରବେଶ ପଥ ଦେଇ ଆସିବାକୁ ଅନୁମତି ଦିଆଯାଇନଥିଲା। ଫଳରେ ସେମାନଙ୍କୁ ଅଧିକ ରାସ୍ତା ବୁଲି ବୁଲି ଆସିବାକୁ ପଡ଼ିଛି। ସଦର ବ୍ଲକ୍ ଅନ୍ତର୍ଗତ ସେରପାଲ୍ଲୀ ପଞ୍ଚାୟତର ପଦରାଗୁଡ଼ା ଗ୍ରାମର ଦଶରଥ କୁରାମୀଙ୍କ ପୁତ୍ର ବାସୁଦେବ କୁରାମୀ(୧୬)ଙ୍କ ସମେତ ସମ୍ପୃକ୍ତ ଗ୍ରାମର ୮ଜଣ ଓ କମଳାପଦର ଗ୍ରାମର ଜଣେ ଗତ ୩ ମାସ ହେଲା ତେଲେଙ୍ଗାନା ରାଜ୍ୟର ସୀତାପେଟାଠାରେ କାମ କରିବାକୁ ଯାଇଥିଲେ। ତେବେ ସେଠାରେ ବାସୁଦେବଙ୍କୁ ଜ୍ୱର ସହ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ନିକଟସ୍ଥ ସରକାରୀ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ତାଙ୍କୁ ଡାକ୍ତର ଦେଖି ମେଡ଼ିସିନ ଦେଇ ବିଦା କରିଦେଇଥିଲେ। ପରେ ଅଧିକ ଯନ୍ତ୍ରଣା ଅନୁଭବ ହେବାରୁ ତାଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରିବା ପରେ ମଧ୍ୟ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିନଥିଲା। ପରେ ଘରକୁ ଆସିବା ପାଇଁ କୌଣସି ବିକଳ୍ପ ନ ଥିବାରୁ ବାଧ୍ୟ ହୋଇ ଏକ ପୁରୁଣା ମୋଟର ସାଇକେଲ କିଣିଥିଲେ ହେଁ ତାଙ୍କୁ ଆସିବାକୁ ଅନୁମତି ମିଳିନଥିବା ତାଙ୍କ ସହକର୍ମୀ ଶ୍ରମିକ ମେଘନାଥ ଡୁରୁକା ଓ ପ୍ରଦୀପ ଦୋରା ଅଭିଯୋଗ କରିଛନ୍ତି। ଏହାର କିଛି ସମୟ ପରେ ବାସୁଦେବର ମୃତ୍ୟୁ ଘଟିଥିଲା। ପରେ ତାଙ୍କ ସହକର୍ମୀମାନେ ଏକ ଆମ୍ବୁଲାନ୍ସରେ ନିଜ ଗ୍ରାମକୁ ଆଣିବା ବେଳେ ଜିଲ୍ଲାର ମୋଟୁ ସୀମା ପ୍ରବେଶ ପଥରେ ଜିଲ୍ଲା ପ୍ରଶାସନ ଶବକୁ ଆଣିବା ପାଇଁ ଅନୁମତି ଦେଇନଥିଲା। ଫଳରେ ବାଧ୍ୟ ହୋଇ ଅଧିକ ୬୨ କିଲୋମିଟର ରାସ୍ତା ଅତିକ୍ରମ କରି ଚିତ୍ରକୋଣ୍ଡା ଦେଇ ଗ୍ରାମକୁ ଶବକୁ ଆଣିବା ପରେ ଶୋକାକୂଳ ପରିବେଶ ମଧ୍ୟରେ ଅନ୍ତୋଷ୍ଟିକ୍ରିୟା ସମ୍ପନ୍ନ ହୋଇଛି। ଖବରପାଇ ପୂର୍ବତନ ସାଂସଦ ପ୍ରଦୀପ ମାଝିଙ୍କ ନେତୃତ୍ୱରେ ଜିଲ୍ଲା କଂଗ୍ରେସ କମିଟି ସଭାପତି ଗୋବିନ୍ଦ ପାତ୍ର, କାର୍ଯ୍ୟକାରୀ ସଭାପତି ରାମ ପ୍ରସାଦ ପଟ୍ଟନାୟକ ଓ ଅନ୍ୟମାନେ ତାଙ୍କ ସେଠାରେ ପହଞ୍ଚି ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ଏହି ପରିପ୍ରେକ୍ଷୀରେ ପୂର୍ବତନ ସାଂସଦ ଶ୍ରୀ ମାଝି ଅଭିଯୋଗ କରିବା ସହ ମହାମାରୀ ସମୟରେ ଜିଲ୍ଲା ପ୍ରଶାସନ ଓ ପୁଲିସର ସ୍ୱତନ୍ତ୍ର ଦାୟିତ୍ୱ ରହିଛି, କୌଣସି ମୃତଦେହ ଆସିଲେ ସ୍ୱତନ୍ତ୍ର ଦାୟିତ୍ୱ ନେଇ ସମ୍ମାନର ସହ ତାଙ୍କ ଘରେ ପହଞ୍ଚାଇବା କଥା କିନ୍ତୁ ଦୁର୍ବ୍ୟବହାର ଓ ଅତ୍ୟାଚାର କରାଯାଇଛି। ମୃତ ଦେହ ଗ୍ରାମରେ ପହଞ୍ଚିବାର ୨ ଘଣ୍ଟା ହେଲାଣି କିନ୍ତୁ କୌଣସି ପ୍ରଶାସନିକ ଅଧିକାରୀ ନାହାନ୍ତି। ସେଠାରେ ଗୋଲାପ ପାଖୁଡ଼ା ପକାଇ ଲୋକ ଦେଖାଣିଆ କାର୍ଯ୍ୟ କରୁଛନ୍ତି ବୋଲି ଅଭିଯୋଗ କରି ମୃତ ଦେହକୁ ଜିଲ୍ଲା ପ୍ରଶାସନ ମୋଟୁ ଦେଇ ଆଣିବାକୁ ଅନୁମତି ନ ଦେବା ଦୁଃଖର ବିଷୟ ବୋଲି ଶ୍ରୀ ମାଝି ପ୍ରକାଶ କରିଛନ୍ତି। Share