ନୂଆଦିଲ୍ଲୀ,ଏଜେନ୍ସି: ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ଲକଡାଉନ ୪.୦ରେ କ’ଣ ଖୋଲିବ ଓ କ’ଣ ଖୋଲିବ ନାହିଁ, ସେ ନେଇ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, ଦିଲ୍ଲୀର କଣ୍ଟେନମେଣ୍ଟ ଜୋନରେ କୌଣସି କୋହଳ କରାଯିବ ନାହିଁ। କିନ୍ତୁ କଣ୍ଟେନମେଣ୍ଟ ଜୋନ ବାହାରେ ଆର୍ଥିକ ଗତିବିଧି ଆରମ୍ଭ ହେବା ଦରକାର। କିନ୍ତୁ ଏଥି ପାଇଁ ସାମାଜିକ ଦୂରତା ରକ୍ଷଳ କରିବା ଓ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହେଉ। କେଜ୍ରିୱାଲ ଲେଖିଛନ୍ତି, ଏହି କଟକଣା କୋହଳ କରିବା ଦ୍ୱାରା କରୋନା ସଂକ୍ରମଣ ସାମାନ୍ୟ ବଢ଼ିପାରେ। କିନ୍ତୁ ଦିଲ୍ଲୀ ସରକାର ଏଥି ପାଇଁ ପ୍ରସ୍ତୁତ । ଲକଡାଉନ ପରେ କ’ଣ ଖୋଲିବା ଦରକାର ସେ ନେଇ କେଜ୍ରିୱାଲ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚିଠିରେ ଲେଖିଛନ୍ତି।
ଚିଠିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ଯେ, ସ୍କୁଲ, କଲେଜ ଓ ଅନ୍ୟ ଶିକ୍ଷାନୁଷ୍ଠାନ ବନ୍ଦ ରହିବା ଦରକାର। କିନ୍ତୁ ଜୁନ ମାସରୁ ପରୀକ୍ଷା ଓ ଅନଲାଇନ/ଡିଷ୍ଟାନ୍ସ ଲର୍ଣ୍ଣିଙ୍ଗ ପାଇଁ ଅନୁମତି ମିଳିବା ଦରକାର। ହୋଟେଲ ଓ ହସ୍ପିଟାଲିଟି ସେବା ଉପରେ କଟକଣା ରହୁ। ସିନେମା, ହଲ, ଜିମ, ସୁଇମିଂ ପୁଲ, ମନୋରଂଜନ ପାର୍କ, ଥିଏଟର, ବାର ଓ ଅଡିଟୋରିୟମ, ଆସେମ୍ବଲି ହଲ ବନ୍ଦ ରହିବା ଦରକାର। ସମସ୍ତ ପ୍ରକାରର ସାମାଜିକ, ରାଜନୈତିକ, ଖେଳ, ମନୋରଂଜନ ଓ ଧାର୍ମିକ ଆୟୋଜନ ଉପରେ କଟକଣା ଲାଗୁ ହେବା ଦରକାର । ସମସ୍ତ ଧାର୍ମିକ ସ୍ଥଳ ବନ୍ଦ ରହିବା ଦରକାର। ସେଲୁନ, ସ୍ପା ଓ ବାରିକ ଦୋକାନ ବନ୍ଦ ରହିବା ଦରକାର।
କେଜ୍ରିୱାଲ ଚିଠିରେ ଲେଖିଛନ୍ତି ଯେ, ଲୋକଙ୍କର ସୁରକ୍ଷା ପାଇଁ କିଛି ଅତ୍ୟାବଶ୍ୟକ ଜିନିଷ ପାଇଁ ରାତି ୯ଟାରୁ ସକାଳ ୫ଟା ପର୍ୟ୍ୟନ୍ତ ବନ୍ଦ ରହିବା ଦରକାର। ଏବେ ସନ୍ଧ୍ୟା ୭ଟାରୁ ସକାଳ ୭ଟା ପର୍ୟ୍ୟନ୍ତ ବନ୍ଦ ରହୁଛି। ସମସ୍ତ ଜୋନରେ ୬୫ ବର୍ଷରୁ ଉର୍ଦ୍ଧ୍ୱ ଲୋକ, ଗର୍ଭବତୀ ମହିଳା, ଗୁରୁତର ରୋଗର ସମ୍ମୁଖୀନ ହୋଇଥିବା ରୋଗୀ ଓ ୧୦ ବର୍ଷରୁ କମ ବର୍ଷ ବୟସର ଶିଶୁ ଘରେ ରହିବା ଦରକାର।