ପ୍ରଥମରୁ ଅଷ୍ଟମ ସମସ୍ତେ ପାସ୍

ଭୁବନେଶ୍ୱର,ଏନ୍ଏନ୍ଏସ୍ : କୋଭିଡ୍-୧୯ ପରିସ୍ଥିତିରେ ଲକଡାଉନ୍ ଯୋଗୁ ୨୦୧୯-୨୦ ବର୍ଷର ପରୀକ୍ଷା ଅନୁଷ୍ଠିତ ହେବା ଓ ଫଳାଫଳକୁ ନେଇ ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକ ଶିକ୍ଷୟତ୍ରୀଙ୍କର ଉତ୍ସକତା ରହିଥିବା ଆଜି ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ୩ଟି ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଏହି ବିଜ୍ଞପ୍ତି ଅନୁଯାୟୀ ଓଡ଼ିଶା ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନରେ ପରିଚାଳିତ ପ୍ରଥମ ଶ୍ରେଣୀରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ୨୦୧୯-୨୦ ଶିକ୍ଷା ବର୍ଷର ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ପରବର୍ତ୍ତୀ ଶ୍ରେଣୀକୁ ଉତୀର୍ଣ୍ଣ କରାଯାଇଛି।

ସେହିପରି ଅନ୍ୟ ଏକ ବିଜ୍ଞପ୍ତି ଅନୁସାରେ ଯେଉଁ ବିଦ୍ୟାଳୟଗୁଡ଼ିକରେ ୯ମ ଶ୍ରେଣୀ ବାର୍ଷିକ ପରୀକ୍ଷା ଶେଷ ହୋଇସାରିଛି, ସେ କ୍ଷେତ୍ରରେ ଛାତ୍ରଛାତ୍ରୀମାନେ ପରୀକ୍ଷାରେ ରଖିଥିବା ନମ୍ବରକୁ ବିଚାରକୁ ନିଆଯାଇ ୧୦ମ ଶ୍ରେଣୀକୁ ଉତୀର୍ଣ୍ଣ କରାଯିବ। କିନ୍ତୁ ଯେଉଁ କ୍ଷେତ୍ରରେ ଛାତ୍ର ବା ଛାତ୍ରୀ ଜଣକ ଯଦି କୌଣସି ଯଥାଯଥ କାରଣବଶତଃ ଷାଣ୍ମାସିକ ପରୀକ୍ଷା ଦେଇପାରିନାହାଁନ୍ତି, ସେ କ୍ଷେତ୍ରରେ ସେମାନେ ସେହି ବର୍ଷରେ ପୂର୍ବରୁ ଦେଇଥିବା ୟୁନିଟ୍ ଟେଷ୍ଟ ପରୀକ୍ଷାରେ ନମ୍ବରକୁ ବିଚାରକୁ ନିଆଯାଇ ୧୦ମ ଶ୍ରେଣୀକୁ ଉତୀର୍ଣ୍ଣ କରାଯିବ।

ସେହିପରି ବିଭାଗ ତରଫରୁ ଜାରି କରାଯାଇଥିବା ମାର୍ଗ ଦର୍ଶିକା ଅନୁସାରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସହ ଅନୁବନ୍ଧିତ ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏକାଦଶ ଶ୍ରେଣୀରେ ଦେଇଥିବା ଷାଣ୍ମାସିକ ପରୀକ୍ଷା ବା ୟୁନିଟ୍ ଟେଷ୍ଟର ନମ୍ବରକୁ ବିଚାରକୁ ନିଆଯାଇ ଦ୍ୱାଦଶ ଶ୍ରେଣୀକୁ ଉତୀର୍ଣ୍ଣ ହେବେ। ଯଦି କୌଣସି କାରଣରୁ ଛାତ୍ର ବା ଛାତ୍ରୀ ଷାଣ୍ମାସିକ ବା କୌଣସି ଗୋଟିଏ ବି ୟୁନିଟ୍ ପରୀକ୍ଷା ସେହି ବର୍ଷ ମଧ୍ୟରେ ଦେଇପାରିନାହାନ୍ତି, ସେ କ୍ଷେତ୍ରରେ ତେବେ ବିଦ୍ୟାଳୟ ଖୋଲିଲେ ସେମାନେ ଦ୍ୱାଦଶ ଶ୍ରେଣୀ ଉତୀର୍ଣ୍ଣ ପାଇଁ ପରୀକ୍ଷା ଦେବାକୁ ସୁଯୋଗ ଦିଆଯିବ ବୋଲି ସରକାର ଏହି ମର୍ମରେ ସରକାର ବିଜ୍ଞପ୍ତି ଜାରି କରିଛନ୍ତି। ଏହି ପରୀପ୍ରେକ୍ଷୀରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆଜି ପୃଥକ ପୃଥକ ଭାବେ ୩ଟି ବିଜ୍ଞପ୍ତି ପ୍ରକାଶ ପାଇଛି।