ଝାରସୁଗୁଡା,ଏନ୍ଏନ୍ଏସ୍ : କରୋନା ସଂକ୍ରମଣକୁ ରୋକିବା ତଥା ପଡାବାସୀଙ୍କ ମଧ୍ୟରେ ସଚେତନତା ଆଣିବା ପାଇଁ ଝାରସୁଗୁଡ଼ାର ପୌରପରିଷଦ ୱାର୍ଡ ନମ୍ବର ୧୭ ଅନ୍ତର୍ଗତ ମହାଦେବ ନଗର ନିବାସୀମାନେ ଆଜି ନିଜର ଖର୍ଚ୍ଚରେ ସ୍ଥାନୀୟ ଅଂଚଳକୁ ବିଶୋଧନ କରିଛନ୍ତି। ଏଥିପାଇଁ ସ୍ଥାନୀୟଲୋକେ ନିଜର ଖର୍ଚ୍ଚରେ ସାନିଟାଇଜ କରିବା ନିମନ୍ତେ ଯନ୍ତ୍ରାଂଶ ଓ ସାନିଟାଇଜର ଆଣି ଘରଘର ପଡ଼ା ଅଂଚଳ ବୁଲି ସାନିଟାଇଜ କରିଥିଲେ। ପ୍ରଥମ ଦିନରେ ୬୦ ଗୋଟି ଘରକୁ ସାନିଟାଇଜ କରାଯାଇଥିବାବେଳେ ଆଗାମୀ ଦିନରେ ଏହି ଅଂଚଳର ସମସ୍ତ ଘରକୁ ସାନିଟାଇଜ କରାଯିବ ବୋଲି ଅଂଚଳବାସୀ କହିଛନ୍ତି।
ଏଥିରେ ଅବଦୁଲ କଲାମ ଫ୍ୟାନ କ୍ଲବର ସଦସ୍ୟମାନେ ସହଯୋଗ କରିଥିବାବେଳେ ଅବସରପ୍ରାପ୍ତ ବାଣିଜ୍ୟ ସହଅଧିକାରୀ ଜନ୍ୱା ପିର ଖାଁ ନିଜ ହାତରୁ ସ୍ପ୍ରେ କରି ଶୁଭାରମ୍ଭ କରିଥିଲେ। ଏହାସହ ଅଂଚଳର ସମସ୍ତଙ୍କୁ ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ୱ ପାଳନ କରିବା ଅତ୍ୟାବଶ୍ୟକ କାମ ନଥିଲେ ଘରୁ ନ ବାହାରିବା, ଜନ ଗହଳି ନ କରିବା ଆଦି ବିଷୟରେ ସଚେତନ କରିଥିଲେ।
ପ୍ରକାଶଯୋଗ୍ୟଯେ, ମହାଦେବ ନଗର ଅଂଚଳରେ ବସବାସ କରୁଥିବା ଲୋକେ ଗରିବ ଶ୍ରେଣୀର ହୋଇଥିଲେ ମଧ୍ୟ ଆଜି ନିଜସ୍ୱ ଖର୍ଚ୍ଚରେ ବିଶୋଧନ ଓ ସ୍ପ୍ରେୟର ମସିନ ସ୍ଥାନୀୟ ଅଂଚଳକୁ ବିଶୋଧନ କରିବାର ପ୍ରକ୍ରିୟା ଆରମ୍ଭ ଲୋକଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି । ଏହି ବିଶୋଧନ ସମୟରେ ଗୋବିନ୍ଦ ସୁନା, ବିସିକେସନ କଲେତ, ବିର ଛତ୍ରୀ, ଅଭିନ ସୁନା, ସାନ ବିହାର, ପିତାମ୍ବର ସୁନା, ବୁଧରାମ ତନ୍ତୀ, ନରେନ୍ଦ୍ର ସିଂ, ମହମ୍ମଦ ଖୁର୍ସିଦ ଆଲାମ ଖାଁ ପ୍ରମୁଖଙ୍କ ସହ ପଡାବାସୀ ଉପସ୍ଥିତ ଥିଲେ । ତେବେ ପୌରପରିଷଦ ପକ୍ଷରୁ ଏ ପର୍ଯ୍ୟନ୍ତ ସାନିଟାଇଜ କରାଯାଇ ନଥିବାରୁ ନିଜସ୍ୱ ଖର୍ଚ୍ଚରେ ପଡ଼ା ଲୋକେ ବିଶୋଧନ ପାଇଁ ଆଗକୁ ଆସୁଥିବା କହିଛନ୍ତି ।