ଦେଶୀ ଚୋରା ମଦ ବାଇକ ସହ ୨ବେପାରୀ ଗିରଫ

ଦେବଗଡ,ଏନ୍ଏନ୍ଏସ୍ : ଲକଡାଉନ ଯୋଗୁଁ ସାରା ରାଜ୍ୟରେ ସରକାରୀ ମଦଭାଟି ବନ୍ଦ ରହିଥିବା ବେଳେ ଏହାର ସୁଯୋଗରେ କେତେକ ଚୋରା ମଦ ବ୍ୟବସାୟୀଙ୍କ ବେଆଇନ କାରବାର ବୃଦ୍ଧି ହେବାରେ ଲାଗିଛି । ଅବକାରୀ ବିଭାଗ ପକ୍ଷରୁ ପ୍ରତ୍ୟେକ ଦିନ ବିଭିନ୍ନ ସ୍ଥାନରେ ଯାଂଚ ଓ ଚଢାଉ କରାଯାଉଥିଲେ ମଧ୍ୟ ଚୋରା ବେପାରୀମାନେ ନୂଆଁ ନୂଆଁ ଉପାୟରେ ସେମାନଙ୍କ ବେଆଇନ ମଦ କାରବାର ଜାରି ରଖିଛନ୍ତି । ତିଲେଇବଣୀ ବ୍ଲକ ସୁଗୁଡା ଗ୍ରାମ ଦେଇ ରିଆମାଳ ବ୍ଲକ ଖିଲେଇ ପଂଚାୟତରେ ବେଆଇନ ମଦ କାରବାର ଚାଲିଥିବା ସୂଚନା ପାଇ ଆଜି ଅବକାରୀ ନିରୀକ୍ଷକ ପଦ୍ମଲୋଚନ ପ୍ରଧାନ ଉପ ନିରୀକ୍ଷକ ଗୋବିନ୍ଦ ଚନ୍ଦ୍ର ପ୍ରଧାନ, କର୍ମଚାରୀ ଅଶ୍ୱିନୀ କୁମାର ପାଣିଙ୍କ ସମେତ ବିଭାଗୀୟ କର୍ମଚାରୀମାନେ ଉକ୍ତ ରାସ୍ତାରେ ପେଟ୍ରୋଲିଂ କରୁଥିବା ସମୟରେ ରେଙ୍ଗତା ଗ୍ରାମରୁ ଦେବଗଡ ପୈାରାଚଂଳ ନୀଳବେର୍ଣ୍ଣୀ ସାହିର ଚୋରା ମଦ ବେପାରୀ ତପନ ଭୋଜ ଓ ମହେନ୍ଦ୍ର ପାତ୍ର ଏକ ବାଇକ ଯୋଗେ ଏକ ଜାରରେ ୫୦ ଲିଟର ଦେଶୀ ରନ୍ଧାମଦ ଧରି ଆସୁଥିବା ବେଳେ ଅବକାରୀ ବିଭାଗ ଅଧିକାରୀ ଓ କର୍ମଚାରୀ ମାନେ ସେମାନଙ୍କୁ ସୁଗୁଡା ପଂଚାୟତ ଛକ ନିକଟରେ କାବୁ କରିବା ସହ ସେମାନଙ୍କ ଠାରୁ ବାଇକ ଓ ମଦ ଜବତ କରିଥିଲେ ।

ପଚରା ଉଚୁରା ବେଳେ ସେମାନେ ରେଙ୍ଗତା ଅଂଚଳର ମଦ ମାଫିଆ ମଦନ କିସାନଙ୍କ ଠାରୁ ଏହା ନେଇ ଆସୁଥିବା ସୂଚନା ଦେବା ପରେ ଅବକାରୀ ବିଭାଗ କର୍ମଚାରୀମାନେ ୨ ଅଭିଯୁକ୍ତଙ୍କୁ ଧରି ମଦନଙ୍କ ବେଆଇନ ମଦ ଆଡ୍ଡାରେ ଚଢାଉ କରିଥିବା ବେଳେ ମଦନ ସେଠାରୁ ଖସି ଯିବାରେ ସକ୍ଷମ ହୋଇଥିଲା। ତେବେ ସେଠାରେ ରନ୍ଧା ମଦ ପ୍ରସ୍ତୁତ ପାଇଁ ରଖା ଯାଇଥିବା ୬କୁଇଂଟାଲ ମହୁଲ ପୋଚକୁ ଅବକାରୀ ବିଭାଗ କର୍ମଚାରୀମାନେ ନଷ୍ଟ କରି ଦେଇଥିଲେ।