ତେଲେଙ୍ଗାନାରେ ୫୦ଦାଦନ ଶ୍ରମିକ ନିର୍ଯାତିତ

ନୂଆପଡା,ଏନ୍ଏନ୍ଏସ୍ : ତେଲେଙ୍ଗାନା ରାଜ୍ୟକୁ ଦାଦନ ଖଟିବାକୁ ଯାଇ ଲକଡାଉନରେ ନୂଆପଡ଼ା ଜିଲ୍ଲା କୋମନା ବ୍ଲକର ୫୦ରୁ ଅଧିକ ଶ୍ରମିକ ଅଟକି ରହିଛନ୍ତି। ଏବେ କାମଧନ୍ଦା ବନ୍ଦ ହୋଇଥିବାରୁ ସେମାନେ ଭୋକ ଉପାସରେ ପଡିରହିଛନ୍ତି। ଅନ୍ୟପଟେ ଇଟାଭାଟି ମାଲିକ ଶ୍ରମିକଙ୍କୁ ତାଙ୍କ ଗାଁକୁ ପଠାଇ ଦେଉନାହିଁ। ଓଲଟା ନିର୍ଯାତନା ଦେଉଥିବାରୁ ତାଙ୍କୁ ଉଦ୍ଧାର କରିବା ପାଇଁ ପ୍ରଶାସନ ପାଖେ ଗୁହାରୀ କରିଛନ୍ତି।

ଗତ ଅକ୍ଟୋବର ମାସରେ କୋମନା ବ୍ଲକ୍ କୁଞ୍ଜଲପଡ଼ା, ବାବେଘାଟି, ଖମବାହୀ, ଗୋଇଜୋର, ଦେଓଦର୍ହା ଭଳି ଗାଁ’ର ଶ୍ରମିକମାନେ ତେଲେଙ୍ଗାନା ରାଜ୍ୟକୁ ଯାଇଥିଲେ। ୟାଦାଦ୍ରୀ ଜିଲ୍ଲା ରାମାରାମ ବ୍ଲକ୍ ଚିକେଟମାମଲି ପଞ୍ଚାୟତ ୱାଲାତାଣ୍ଡା ଗାଁର ନରସିମ୍ମା ନାୟକ ନାମକ ମାଲିକଙ୍କ ଇଟାଭାଟିରେ କାମ କରୁଛନ୍ତି। ଲକଡାଉନ ଯୋଗୁଁ କୋମନା ଥାନା କୁଂଲପଡାର ୨ ପରିବାରରେ ୧୦ ଜଣ, ବାବେଘାଟି ଗାଁର ଗୋଟିଏ ପରିବାରରେ ୫ ଜଣ, ଖମବାହୀ ଗାଁର ୬ ଟି ପରିବାରର ୨୫ ଜଣ, ଗୋଇଜୋର ଗାଁ’ର ୩ ଜଣ, ଦେଓଦର୍ହା ଗାଁର ୫ ଜଣ, ଭାଲୁକୋନା ଗାଁର ଗୋଟିଏ ପରିବାର, ବୋଡେନ ଥାନା ନାଗପଡା ପଞ୍ଚାୟତ ଖୋଲି ଭିତର ଗାଁର ୩ ଜଣ ଶ୍ରମିକ ସମେତ ମୋଟ ୫୦ରୁ ଅଧିକ ଫସି ରହିଛନ୍ତି। ତେଣୁ ଜିଲ୍ଲା ପ୍ରଶାସନ ତରଫରୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରି ତୁରନ୍ତ ଉକ୍ତ ଶ୍ରମିକମାନଙ୍କୁ ଉଦ୍ଧାର କରିବା ଦିଗରେ ପଦକ୍ଷେପ ନେବାକୁ ଶ୍ରମିକମାନେ ନିବେଦନ କରିଛନ୍ତି। ଏନେଇ ଜିଲ୍ଲା ଶ୍ରମ ଅଧିକାରୀ ଶରତ ପାଣିଗ୍ରାହୀଙ୍କୁ ପଚାରିବାରୁ ପଞ୍ଜିିକୃତ ଶ୍ରମିକଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ଫେରାଇ ଆଣିବା ବ୍ୟବସ୍ଥା କରାଯାଉଛି। ଯଦି ସେମାନେ ପଞ୍ଚାୟତରେ ପଞ୍ଜିକରଣ କରିଛନ୍ତି ତେବେ ପର୍ଯ୍ୟାୟକ୍ରମେ ଅଣାଯିବ ବୋଲି କହିଥିଲେ।