ସୀମାନ୍ତବର୍ତୀ ମୋଟୁରେ ପ୍ରବାସୀ ଓଡିଆଙ୍କ ଭିଡ

ମାଲକାନଗିରି,ଏନ୍ଏନ୍ଏସ୍ : ମାଲକାନଗିରି ସୀମାନ୍ତବର୍ତୀ ମୋଟୁରେ ଏବେ ପ୍ରବାସୀ ଫେରନ୍ତାଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଦୈନିକ ଶହ ଶହ ଶ୍ରମିକଙ୍କ ଭିଡ ଦେଖିବାକୁ ମିଳୁଛି। ମାଲକାନଗିରି ଜିଲ୍ଲା ସୀମାନ୍ତରେ ଆନ୍ଧ୍ର ଓ ଛତିଶଗଡ଼ ରାଜ୍ୟ ଥିବାରୁ ଦୈନିକ ଶହ ଶହ ଶ୍ରମିକ ଓ ଛାତ୍ରଛାତ୍ରୀ ଫେରୁଛନ୍ତି । ଆନ୍ଧ୍ର ସୀମାନ୍ତ ଚିତ୍ରକୋଣ୍ଡା ଓ ମୋଟୁ ସହ ଛତିଶଗଡ଼ ସୀମାନ୍ତ ଟିଟିବିରି, ପଡ଼ିଆ ଦେଇ ପ୍ରବାସୀମାନେ ଫେରୁଛନ୍ତି । କେବଳ ଜିଲ୍ଲାରୁ ନୁହେଁ ରାଜ୍ୟର କୋଣ ଅନୁକୋଣ ଯଥା-କଳାହାଣ୍ଡି, ବଲାଙ୍ଗିର, ସମ୍ବଲପୁର, ଢେଙ୍କାନାଳ, କଟକ, କେନ୍ଦ୍ରାପଡା ପ୍ରଭୃତି ଅନ୍ୟ ଜିଲ୍ଲାର ଶ୍ରମିକମାନଙ୍କ ଭିଡ ଜମିଛି। ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଦୈନିକ ବସଗୁଡିକ ମାଲକାନଗିରି ଜିଲ୍ଲାର ମୋଟୁକୁ ଆସୁଛି ।

ସେହି ବସରେ ନିଜ ନିଜ ଜିଲ୍ଲାକୁ ଫେରୁଛନ୍ତି ଏହି ପ୍ରବାସୀମାନେ। ପୁଲିସ ପ୍ରଶାସନ ଓ ତହସିଲ ପକ୍ଷରୁ କାଲେରୁ ନଦୀ କୁଳରେ ଡେରା ପକାଇ ଦିନରାତି ୨୪ ଘଂଟା ସରକାରୀ କର୍ମଚାରୀମାନେ ଫେରନ୍ତାଙ୍କ ସେବାରେ ଲାଗିପଡ଼ିଛନ୍ତି । ନିଜ ନିଜ ଜୀବନକୁ ବିପନ୍ନ କରି ଏମାନେ ମହାମାରି କରୋନାର ଯୋଦ୍ଧା ସାଜିଛନ୍ତି । ବିଶେଷ କରି ତେଲେଙ୍ଗାନା, ଆନ୍ଧ୍ର ପ୍ରଦେଶ କର୍ଣ୍ଣାଟକ, ତାମିଲନାଡୁରୁ ହଜାରରୁ ଉଦ୍ଧ୍ୱର୍ ଶ୍ରମିକ ସୀମା ଭିତରେ ପ୍ରବେଶ କରିବାରେ ଲାଗିଛନ୍ତି ।

ଯାହା କି ଜିଲ୍ଲା ପ୍ରଶାସନ ପାଇଁ ଚିନ୍ତାର ବିଷୟ ପାଲଟିଛି। କିନ୍ତୁ ଜିଲ୍ଲା ପ୍ରଶାସନର ସମସ୍ତ କର୍ମଚାରୀ ସଜାଗ ହୋଇ ରହିଛନ୍ତି । ଓଡ଼ିଶା ସୀମାରେ ପ୍ରବାସୀମାନେ ପ୍ରବେଶ କରିବା ମାତ୍ରେ ରେଜିଷ୍ଟେସନ କରାଯିବା ସହ ଥର୍ମାଲ ଯାଂଚ, ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହ ବର୍ଡର ପାସର ମୋହର ଲଗାଇ ନିଜ ନିଜ ଜିଲ୍ଲା କିମ୍ବା ନିଜ ନିଜର ପଂଚାୟତର ସଂଗରୋଧ କେନ୍ଦ୍ରକୁ ସ୍ୱତନ୍ତ୍ର ଗାଡ଼ି ଯୋଗେ ପଠାଯାଉଛି ।

ସୀମା ଭିତରକୁ ପ୍ରବେଶ କରିବା ଶ୍ରମିକମାନଙ୍କୁ ସ୍ୱାଗତ କରି ସେମାନଙ୍କୁ ବିସ୍କୁଟ,ଥଣ୍ଡାପାଣି ଆଦି ପ୍ରଦାନ କରା ଯାଉଥିବା ବେଳେ ଅନଲାଇନ ପଞ୍ଜିକରଣ କରା ନ ଗଲେ ସେମାନଙ୍କୁ ଅନ୍ ସ୍ପଟ ପଞ୍ଜିିକରଣ ମଧ୍ୟ କରାଯାଉଛି। ବର୍ତମାନ ସୁଦ୍ଧା ଜିଲ୍ଲାକୁ ପ୍ରାୟ ୭ ହଜାର ପ୍ରବାସୀ ଆସିଥିବା ଜଣାପଡ଼ିଛି । ତେବେ କେବଳ ମୋଟୁ ଦେଇ ପ୍ରାୟ ୪ ହଜାର ୫ ଶହରୁ ଉର୍ଦ୍ଧ ପ୍ରବାସୀ ଆସିଥିବା ମୋଟୁ ତହସିଲଦାର ଶଶାଙ୍କ ମିଶ୍ର ପ୍ରକାଶ କରିଛନ୍ତି । ସେହଭଳି ବର୍ତମାନ ସୁଦ୍ଧା ଜିଲ୍ଲାରେ ପ୍ରାୟ ୧୪ ଶହ ସ୍ୱାବ ନମୂନା ପରୀକ୍ଷା ପଠାଯାଇଥିବା ବେଳେ ଏକ ହଜାର ନମୂନା ରିପୋର୍ଟ ଆସିଛି ସମସ୍ତେ ନେଗେଟିଭ ଥିବା ଜଣାପଡ଼ିଛ।