ଝାରସୁଗୁଡ଼ା,ଏନ୍ଏନ୍ଏସ୍: ସୁନ୍ଦରଗଡ଼ ଜିଲ୍ଲା ଦର୍ଲିପାଲି ଠାରେ ଥିବା ଏନଟିପିସି କାରଖାନ ଦ୍ୱାରା ଝାରସୁଗୁଡା ଜିଲ୍ଲାର ୪ଟି ପଞ୍ଚାୟତର ଲୋକେ କ୍ଷତିଗ୍ରସ୍ତ ହେଉଥିବା ଜିଲ୍ଲାପାଳ ଅଭିଯୋଗ କରିଛନ୍ତି। ସେମାନେ କହିଛନ୍ତି ଏହି କମ୍ପାନୀ ପାଇଁ ଝାରସୁଗୁଡା ଜିଲ୍ଲାରେ ଥିବା ଲୋଇସିଂ, ରାଜପୁର, ଚନ୍ଦନୀମାଲ ଓ ଗଉରମାଲର ଲୋକେ ବହୁ ପ୍ରଭାବିତ ହେଉଛନ୍ତି। ଏନଟିପିସିର ପାଇପଲାଇନ ଏହି ଚାରୋଟି ଗାଁର ଜମି ଦେଇ ଯାଇଥିବାରୁ ଚାଷ ଜମି ସହ ଜଙ୍ଗଲ ଜମି ମଧ୍ୟ ନଷ୍ଟ ହେଉଥିବା ଅଭିଯୋଗ ହୋଇଛି।
ସେହିପରି ଏନଟିପିସିକୁ ଯାତାୟାତ ପାଇଁ କର୍ମଚାରୀଠୁ ନେଇ କମ୍ପାନୀ କର୍ତ୍ତୃପକ୍ଷ ତଥା ଭାରିଯାନ ଗାନ୍ଧିଛକର ପୂର୍ତ୍ତ ବିଭାଗ ରାସ୍ତାକୁ ବ୍ୟବହାର କରୁଥିବାରୁ ଏଠାରେ ଦୁର୍ଘଟଣାର ମାତ୍ରା ବୃଦ୍ଧି ପାଇଛି। ଅନ୍ୟପଟେ ତିଲେଇମାଲ ଗ୍ରାମ ନିକଟରେ ଏନଟିପିସି ପାଉଁଶ ପୋଖରୀ ତିଆରି କରାଯାଇଛି। ଏହା ଲୋଇସିଂ ଓ ଚନ୍ଦନୀମାଲ ପଞ୍ଚାୟତର ସମସ୍ତ ଗ୍ରାମକୁ ଲାଗି ରହିଛି। ପାଉଁଶ ପୋଖରୀର ପାଉଁଶ ଗୁଣ୍ଡ ଓ ବିଷାକ୍ତ ପାଣି ଚାଷ ଜମିରେ ମାଡି ଜମି ନଷ୍ଟ ହେବାସହ ନଦୀ ନାଳ, ପୋଖରୀ ଆଦିର ପାଣି ପ୍ରଦୂଷିତ ହେଉଛି।
ଏହାସହ ପାଉଁଶ ପୋଖରୀ ଓ କମ୍ପାନୀ ଧୁଆଁ ଯୋଗୁଁ ସେମାନଙ୍କ ଗ୍ରାମଗୁଡିକ ସବୁବେଳ ଧୂଳିମୟ ରହୁଛି। ପାଉଁଶ ପୋଖରୀର ପ୍ରଦୂଷଣ ଯୋଗୁଁ ଗ୍ରାମବାସୀମଙ୍କୁ ଧାନ ଚାଷ, ପନିପରିବା ଚାଷ ଓ ନିତ୍ୟ ବ୍ୟବହୃତ ଜଳର ଅସୁବିଧା ସହ ଦୈନନ୍ଦିନ ଜୀବନଯାପନରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ପ୍ରଦୂଷିତ ପାଣି ବ୍ୟବହାର କରି ସେମାନେ ରୋଗବ୍ୟାଧିର ଶିକାର ହେଉଥିବା ଅଭିଯୋଗ ହୋଇଛି। ତେବେ ଗ୍ରାମବାସୀମାନେ କମ୍ପାନୀର ପାଉଁଶ ପୋଖରୀ ଯୋଗୁଁ ବହୁ ମାତ୍ରାରେ କ୍ଷତି ସହୁଥିଲେ ହେଁ କମ୍ପାନୀ ପକ୍ଷରୁ କୌଣସି କ୍ଷତି ପୂରଣ ପ୍ରଦାନ କରାଯାଉ ନାହିଁ। ଏଥିସହ ସ୍ଥାନୀୟ ଅଞ୍ଚଳର ଶିକ୍ଷିତ ଯୁବକ ଯୁବତୀଙ୍କୁ ମଧ୍ୟ ଉକ୍ତ କମ୍ପାନୀରେ ନିଯୁକ୍ତି ପ୍ରଦାନ କରାଯାଉ ନାହିଁ। ଏ ନେଇ ସ୍ଥାନୀୟ ୪ଟି ପଞ୍ଚାୟତ ପକ୍ଷରୁ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ଦାଖଲ ହୋଇଛି।