କୁକୁର ଆକ୍ରମଣରେ ହରିଣ ମୃତ

ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ବନଖଣ୍ଡ ତିଳେଇବଣି ସେକ୍ସନ ଅନ୍ତର୍ଗତ ବରଘାଟ ଗ୍ରାମରେ ଗତକାଲି ବିଳମ୍ବିତ ରାତ୍ରିରେ କୁକୁର ପଲ ଆକ୍ରମଣରେ ଗୋଟିଏ ହରିଣର ମୃତ୍ୟୁ ଘଟିଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତ୍ରି ପ୍ରାୟ ଦେଢ଼ଟା ସମୟରେ ବରଘାଟ ଗ୍ରାମକୁ ନିକଟସ୍ଥ ପ୍ରଭାସୁଣୀ ସଂରକ୍ଷିତ ଜଙ୍ଗଲ ମଧ୍ୟରୁ ଏକ ହରିଣ ବାଟ ବଣା ହୋଇ ଚାଲି ଆସିଥିଲା। ତେବେ ହରିଣକୁ ଗାଁ’ରେ ଦେଖି କୁକୁର ମାନେ ତା ଉପରକୁ ଆକ୍ରମଣ କରିଥିଲେ।

ଏହା ଦେଖି କେତେକ ଗ୍ରାମବାସୀ କୁକୁର କବଳରୁ ହରିଣକୁ ଉଦ୍ଧାର କରି ପ୍ରାଥମିକ ଚିକିତ୍ସା କରାଇଥିଲେ। ଏଥିସହ ବନ ବିଭାଗକୁ ସୂଚନା ଦେଇଥିଲେ। ସୂଚନା ପାଇ ବନଖଣ୍ଡ ଅଧିକାରୀ କ୍ଷମା ଷଡ଼ଙ୍ଗୀଙ୍କ ନିର୍ଦ୍ଦେଶରେ ଦେବଗଡ଼ ଫରେଷ୍ଟ ରେଞ୍ଜ ଅଫିସର ଦେବବ୍ରତ ନନ୍ଦ ଓ ତିଳେଇବଣି ସେକ୍ସନ ଅଫିସର ସୁଧାଂଶୁ ବେହେରା ସଦଳେବଳେ ଘଟଣାସ୍ଥଳରେ ପହଞ୍ଚି ଆହତ ହରିଣକୁ ଉଦ୍ଧାର କରି ଦେବଗଡ଼ ସ୍ଥିତ ପ୍ରାଣୀଧନ ଚିକିତ୍ସା କେନ୍ଦ୍ରକୁ ଚିକିତ୍ସା ପାଇଁ ନେଇଥିବାବେଳେ ଭୋରରେ ହରିଣଟିର ମୃତ୍ୟୁ ଘଟିଥିଲା। ପରେ ବନବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ମୃତ ହରିଣର ବ୍ୟବଚ୍ଛେଦ କରାଇଥିବା ଜଣାପଡିଛି।